ଯୁକ୍ତ ଦୁଇ କଟ୍‌ଅଫ୍‌ ମାର୍କ ତାଲିକା ପ୍ରକାଶ ପାଇଲା

ଯୁକ୍ତ ଦୁଇ ପ୍ରଥମ ମେଧା ତାଲିକା ପ୍ରକାଶ ପାଇଛି । +୨ ଆଡମିଶନ ପାଇଁ ପ୍ରକାଶ ପାଇଲା କଟ୍‌ଅଫ୍‌ ମାର୍କ ତାଲିକା । କଳାରେ ୮୩.୫୦% ସହ କୃଷ୍ଣପ୍ରସାଦ କନ୍ଦାଖାଇ କଲେଜ ଟପରେ ରହିଛି । ୮୩.୩୩% ମାର୍କ ସହ ରେଭେନ୍ସା ୨ୟ ଓ ୮୩.୧୭% ମାର୍କ ସହ ନରସିଂହପୁର କଲେଜ ୩ୟରେ ରହିଛି । ବାଣିଜ୍ୟରେ ୮୪.୧୭% ମାର୍କ ସହ ରେଭେନ୍ସା ଶୀର୍ଷରେ ରହିଛି । ୮୦.୬୭% ମାର୍କ ସହ ରାଉରକେଲା ସରକାରୀ ଉଚ୍ଚ ମାଧ୍ୟମିକ ସ୍କୁଲ ୨ୟ ଓ ୭୯.୮୩% କଟଅଫ୍‌ ମାର୍କ ସହ BJB ତୃତୀୟରେ ରହିଛି ।

ଅପରାହ୍ନ ୩ଟାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଏହି ତାଲିକା ପ୍ରକାଶ ପାଇଛି । ଛାତ୍ରଛାତ୍ରୀ କେଉଁ କଲେଜରେ ପଢ଼ିବା ଲାଗି ଯୋଗ୍ୟତା‌ ଅର୍ଜନ କରିଛନ୍ତି ସେ ସମ୍ପର୍କରେ ଜାଣିପାରିବେ । ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ୧୯ରୁ ୨୫ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ । ଚଳିତବର୍ଷ ୨ ହଜାର ୬୫ କଲେଜର ୫ ଲକ୍ଷ ୭ ହଜାର ୫୦୨ ସିଟ୍‌ ପାଇଁ ୫ ଲକ୍ଷ ୭ ହଜାର ୯୩୫ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିଲେ । ସେମାନଙ୍କ ମଧ୍ୟରୁ ୪ ଲକ୍ଷ ୭୫ ହଜାର ୯୯୦ ଜଣ ଅନ୍‌ଲାଇନ୍‌ରେ ଆବେଦନ କରିଥିବା ବେଳେ ୪ ଲକ୍ଷ ୭୧ ହଜାର ୩୨୪ ଜଣ ଅନ୍‌ଲାଇନ୍‌ରେ ଫି’ ଦାଖଲ କରିଛନ୍ତି ।