ବିଜେପିର ଚାଷୀକାର୍ଡ

ପଦ୍ମପୁର ଲୋକାରଣ୍ୟ। ଚାରିପଟେ ବିଜେପିର ଦଳୀୟ ପତାକା। ହଜାର ହଜାର କର୍ମୀ ଓ ସମର୍ଥକଙ୍କ ଭିଡ଼ରେ ରାସ୍ତାଘାଟ ଜାମ୍‌। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ତୁଙ୍ଗନେତାଙ୍କୁ ନେଇ ବିରାଟ ଶୋଭାଯାତ୍ରା। ଏହି ଶୋଭାଯାତ୍ରା ବି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ପହଞ୍ଚିଲା। ତା’ପରେ ଜୋର୍‌ଦାର୍‌ ଶକ୍ତି ପ୍ରଦର୍ଶନ। ଏତେସବୁ ସତ୍ତ୍ବେ ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ନିଜର ପ୍ରାର୍ଥିପତ୍ର ଦାଖଲ କରିନାହାନ୍ତି। ପଦ୍ମପୁର ଉପନିର୍ବାଚନ ପାଇଁ ଆଜି ଏହିଭଳି ଭାବେ ‘ଚାଷୀକାର୍ଡ’ ଖେଳିଛି ବିଜେପି।

ବିଜେପି ପ୍ରାର୍ଥୀ ପୁରୋହିତ ସୋମବାର ଦିନ ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି ଦିନଧାର୍ଯ୍ୟ ହୋଇଥିଲା। ସକାଳ ସମୟରେ ଶ୍ରୀ ପୁରୋହିତ ବିଭିନ୍ନ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ଏହାପରେ ପଦ୍ମପୁର କପସିଲା ପଡ଼ିଆଠାରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା। ଏହି ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଶ୍ବେଶ୍ୱର ଟୁଡୁ, ରାଜ୍ୟ ସଭାପତି ସମୀର ମହାନ୍ତି, ବିରୋଧୀ ଦଳନେତା ଜୟନାରୟଣ ମିଶ୍ର, ସାଂସଦ ସୁରେଶ ପୂଜାରୀ ଓ ସଙ୍ଗୀତା ସିଂଦେଓ, କନକ ବର୍ଦ୍ଧନ ସିଂହଦେଓଙ୍କ ସମେତ ଦଳର ବହୁ ତୁଙ୍ଗନେତା ଏଥିରେ ଯୋଗ ଦେଇଥିଲେ। ବିଜେପି ନେତୃବୃନ୍ଦ ବୀମା ସମେତ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ତୀବ୍ର ସମ‌ଲୋଚନା କରିଥିଲେ। ପରେ ବିରାଟ ଶୋଭାଯାତ୍ରା ସହର ପରିକ୍ରମା କରିବାପରେ ନାମାଙ୍କନ ପାଇଁ ଦଳୀୟ ପ୍ରାର୍ଥୀ ଶ୍ରୀ ପୁରୋହିତ ଉପଜିଲ୍ଲାପାଳ କାର୍ଯ୍ୟାଳୟଠାରେ ପହଞ୍ଚିଥିଲେ। ସେଠାରେ ବିଭିନ୍ନ ଦାବି ନେଇ ୧୪ଦିନ ଧରି ଆନ୍ଦୋଳନରେ ବସିଥିବା ରାଜବୋଡ଼ାସମ୍ବର କୃଷକ ସଙ୍ଗଠନର ସଦସ୍ୟଙ୍କ ପାଖକୁ ଯାଇ ଆଲୋଚନା କରିଥିଲେ।