ଧାନ ଫସଲକୁ ଖାଉଚି ଅଜଣା ରୋଗ

ଗତ କିଛି ଦିନ ପୂର୍ବରୁ ବରଗଡ଼ ଜିଲ୍ଲାରେ ଅଦିନିଆ ବର୍ଷା ଓ କୁଆପଥର ମାଡ ଯୋଗୁଁ ବ୍ୟାପକ ଫସଲ ନଷ୍ଟ ହୋଇପଡିଥିବା ବେଳେ ଏବେ ଏକ ଅଜଣା ରୋଗରେ ଗଛରୁ ଧାନ ଶୁଖି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଜିଲ୍ଲାର ଅଧିକାଂଶ ଲୋକ ଧାନଚାଷ ଉପରେ ନିର୍ଭର କରୁଛନ୍ତି । ଏପରି ସ୍ଥିତିରେ ଋଣ ପରିଶୋଧ ଓ ପରିବାର ପୋଷଣ ନେଇ ଚିନ୍ତା ରେ ଅଛନ୍ତି ବରଗଡର ଚାଷୀ । ବିଲରେ ଧାନ ଗଛ ଗୁଡିକ ଛିଡା ହୋଇଛି ସତ ମାତ୍ର ଧାନ କେଣ୍ଡା ଗୁଡିକ ସମ୍ପୂର୍ଣ୍ଣ ଶୁଖି ପୋଲା ହୋଇଯାଇଛି ।ଏହି ରୋଗ ଚାଷୀଙ୍କର ଚିନ୍ତାର ବିଷୟ ପାଲଟିଛି। ଯାହାକୁ ନେଇ ନାନା ସମସ୍ୟାର ସାମ୍ନା କରୁଛନ୍ତି ବରଗଡ଼ ବରାହଗୁଡା ଗାଁର ଚାଷୀ । ଅଜଣା ରୋଗ ପୋକ ଯୋଗୁଁ ବ୍ୟାପକ କ୍ଷତି ସହିଥିବା ଚାଷୀ ଏନେଇ ବାରମ୍ବାର କୃଷି ବିଭାଗ ଓ ସରକାରଙ୍କୁ ଜଣାଇଥିଲେ ମଧ୍ୟ ଚାଷୀଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି । ଅନ୍ୟପକ୍ଷରେ ଚାଷୀମାନେ ଯାହା ଅଭିଯୋଗ କରିଛନ୍ତି ଏହା କୌଣସି ଅଜଣା ରୋଗ ନୁହେଁ ବରଂ ପାଣିପାଗର ହଠାତ୍ ପରିବର୍ତ୍ତନ ପାଇଁ ଧାନର ନେକ ବ୍ଲାଷ୍ଟ ବା ତଣ୍ଟି କଟା ରୋଗ ପାଇଁ ଏପରି ପରିସ୍ଥିତି ଦେଖାଦେଇଥିବା ଏବଂ ଫସଲ ନଷ୍ଟ ହୋଇଥିବା କହିଛନ୍ତି ବରଗଡ଼ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ । ଏନେଇ ଜିଲ୍ଲା କୃଷି ବିଭାଗ ଓ ରାଜସ୍ୱ ବିଭାଗ ପକ୍ଷରୁ କ୍ଷେତ୍ର ପରିଦର୍ଶନ କରି ରିଲିଫ କମିଶନରଙ୍କ ପାଖକୁ ରିପୋର୍ଟ ପଠାଇ ଦିଆଯାଇଥିବା କହିଛନ୍ତି କୃଷି ଅଧିକାରୀ । ତେବେ ସରକାର ତଥା କୃଷି ବିଭାଗ କେବେ ଏନେଇ କି ପଦକ୍ଷେପ ନେଉଛନ୍ତି ଆଉ ଚାଷୀ କେବେ କ୍ଷତିପୂରଣ ପାଉଛନ୍ତି ତାହା ଦେଖିବାକୁ ବାକି ରହିଲା ।