ଓଡ଼ିଆ ଜାତିର ପରିଚୟ, ସଂସ୍କୃତି ଓ ଗରିମାର ସ୍ମରଣ କରାଏ ଉତ୍କଳ ଦିବସ
ଆଜି ଏପ୍ରିଲ୍ ୧, ୨୦୨୫, ଓଡ଼ିଶା ଦିବସ ବା ଉତ୍କଳ ଦିବସ ରାଜ୍ୟରେ ବହୁ ଉତ୍ସାହର ସହ ପାଳନ କରାଯାଉଛି। ୧୯୩୬ ମସିହାରେ ଏହି ଦିନ ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶ ଭାବେ ଗଠନ ହୋଇଥିଲା, ଯାହା ଭାରତରେ ଭାଷାଭିତ୍ତିକ ରାଜ୍ୟ ଗଠନର ପ୍ରଥମ ଉଦାହରଣ। ଏହି ଐତିହାସିକ ଦିନ ଓଡ଼ିଆ ଜାତିର ପରିଚୟ, ସଂସ୍କୃତି ଓ ଗରିମାର ସ୍ମରଣ କରାଇ ଦିଏ।
ରାଜ୍ୟ ସରକାରଙ୍କ ତରଫରୁ ରାଜ୍ୟବ୍ୟାପୀ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, “ଓଡ଼ିଶା ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ନିଜର ଅସୀମ ତ୍ୟାଗ ତଥା ଆମ ଭାଷା, ସାହିତ୍ୟ ଓ ସଂସ୍କୃତିର ଗୌରବ ବୃଦ୍ଧି କରିଥିବା ମହାପୁରୁଷମାନଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି। ଆଜିର ଦିନରେ ଆସନ୍ତୁ ଏକ ସୁସ୍ଥ ଓ ବିକଶିତ ଓଡ଼ିଶା ଗଠନ କରିବାର ସଂକଳ୍ପକୁ ଆହୁରି ଦୃଢ଼ କରିବା।”
ଓଡ଼ିଶାର ଇତିହାସ ଗଭୀର ଓ ଗୌରବମୟ। ପ୍ରାଚୀନ କଳିଙ୍ଗ ସାମ୍ରାଜ୍ୟରୁ ଆରମ୍ଭ କରି ଆଧୁନିକ ଯୁଗ ପର୍ଯ୍ୟନ୍ତ ଏହାର ଯାତ୍ରା ଅନୁପ୍ରେରଣାଦାୟୀ। ଏହି ଦିନ ଉତ୍କଳ କେଶରୀ ହରେକୃଷ୍ଣ ମହତାବ, ମଧୁସୂଦନ ଦାସ ଆଦି ମହାନ ନେତାଙ୍କ ଯୋଗଦାନକୁ ମଧ୍ୟ ସ୍ମରଣ କରାଯାଏ, ଯେଉଁମାନେ ଓଡ଼ିଶାର ସ୍ୱାଭିମାନ ପାଇଁ ସଂଘର୍ଷ କରିଥିଲେ।
ଓଡ଼ିଆ ନୂଆବର୍ଷ ଅବସରରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଏପ୍ରିଲ ୧ ତାରିଖ ଠାରୁ ୧୪ ଏପ୍ରିଲ ଓଡ଼ିଆ ନବବର୍ଷ ତଥା ମହାବିଷୁବ ସଂକ୍ରାନ୍ତି ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ କରିବା ନିମନ୍ତେ ସରକାରଙ୍କ ତରଫରୁ ନିଷ୍ପତ୍ତି ନିଆ ଯାଇଛି। ଦୀର୍ଘ ୧୪ ଦିନ ଧରି ରାଜ୍ୟବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ (ରାଜ୍ୟ ସ୍ତରୀୟ ଓ ଜିଲା ସ୍ତରୀୟ କାର୍ଯ୍ୟକ୍ରମ) ଆୟୋଜନ କରାଯିବା ପାଇଁ ସରକାରଙ୍କ ତରଫରୁ ନିଷ୍ପତ୍ତି ନିଆଯାଇଛି।