ନୂଆ ମୁଖ୍ୟ ଶାସନ ସଚିବ ଭାବେ ଆଜି ଦାୟିତ୍ୱ ନେବେ ପ୍ରଦୀପ ଜେନା

ଭୁବନେଶ୍ବର: ଆଜି ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେବେ ୧୯୮୯ ବ୍ୟାଚ IAS ଅଫିସର ଆଇଏଏସ ପ୍ରଦୀପ ଜେନା । ୧୯୯୧ରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ର ସବ-କଲେକ୍ଟର ଭାବେ କ୍ୟାରିଅର ଆରମ୍ଭ କରିଥିଲେ ପ୍ରଦୀପ । ପରେ କେନ୍ଦ୍ରାପଡ଼ା ଓ କଟକ ଜିଲ୍ଲାପାଳ ମଧ୍ୟ ହୋଇଥିଲେ । ବିଭିନ୍ନ କ୍ଷେତ୍ରରେ ତାଙ୍କର ସଫଳତା ପାଇଁ ତୃଣମୂଳ ସ୍ତରରୁ ପ୍ରଶଂସା ପାଇଛନ୍ତି ପ୍ରଦୀପ ଜେନା ।
କଟକ ଜିଲ୍ଲାପାଳ ଥିବା ବେଳେ ୧୯୯୯ ମସିହାରେ ବାତ୍ୟା ପରିଚାଳନାରେ ଦକ୍ଷତା ପ୍ରତିପାଦନ କରିଥିବା ବେଳେ ରାଜ୍ୟ ଓ ଜାତୀୟ ସ୍ତରରୁ ପ୍ରଶଂସା ପାଇଥିଲେ । ଶକ୍ତି ବିଭାଗର ସଚିବ ଥିବା ବେଳେ ଫାଇଲିନ ବାତ୍ୟାରେ ଗଞ୍ଜାମରେ ବିଦ୍ୟୁତ ଭିତ୍ତିଭୂମି ସମ୍ପୂର୍ଣ୍ଣ ବିଗିଡିଯାଇଥିଲା । ସେଠାରେ ତୁରନ୍ତ ପୂର୍ବସ୍ଥିତିକୁ ଫେରିବାରେ ପ୍ରଦୀପ ଜେନାଙ୍କ ମୁଖ୍ୟ ଭୂମକା ଥିଲା । ଗୋଟିଏ ସମୟରେ ବାଣିଜ୍ୟ କମିଶନର ଓ ରାଜ୍ୟ ପରିବହନ କମିଶନର ଭାବେ ଦାୟିତ୍ବ ପରିବହନ କରିଥିଲେ । ଓଡ଼ିଶା ଆର୍ଥିକ ଦୁର୍ବଳ ଥିବା ସମୟରେ ସେ ଉଲ୍ଲେଖନୀୟ କାମ କରିଥିଲେ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ମଧ୍ୟ ବେଶ ପ୍ରଶଂସାଯୋଗ୍ୟ କାମ କରିଥିଲେ ପ୍ରଦୀପ ଜେନା ।
ସ୍ବତନ୍ତ୍ର ରିଲିଫ କମିଶନର ଭାବେ ମଧ୍ୟ ପ୍ରଦୀପ ଜେନା ଦକ୍ଷତା ପ୍ରଦର୍ଶିତ କରିଛନ୍ତି । ରାଜ୍ୟ ଉପରେ ବାତ୍ୟା ବିପତ୍ତି ଥିବା ବେଳେ ସେ ଜିରୋ କାଜୁଆଲଟି ଉପରେ ଗୁରୁତ୍ବ ଦେଇଥିଲେ । କୋଭିଡ ଲକଡାଉନ ବେଳେ ଟିମ୍ ସ୍ପିରିଟରେ କାମ କରି ସରକାରଙ୍କ ନିର୍ଦ୍ଦେଶ ଅନୁସାରେ କାମ କରିଥିଲେ ପ୍ରଦୀପ ଜେନା । ଗ୍ରାମ୍ୟ ଉନ୍ନୟନ ବିଭାଗର ଦାୟିତ୍ବରେ ଥିବା ବେଳେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା କାର୍ଯ୍ୟକାରୀ କରିବାରେ ଜାତୀୟ ସ୍ତରରେ ରେକର୍ଡ କରିଥିଲେ । ୟୁଏନଡିପିର ସଦସ୍ୟ ଭାବେ ମଧ୍ୟ କାମ କରି ପ୍ରଶଂସା ସାଉଁଟିଛନ୍ତି ପ୍ରଦୀପ ।