‘ଇଣ୍ଡିଆ ଟୁଡେ’ ରିପୋର୍ଟରେ ସବୁଥିରେ ଓଡ଼ିଶା ପଛୁଆ
ଭୁବନେଶ୍ୱର : ଗଭର୍ଣ୍ଣାନ୍ସଠୁ ଆରମ୍ଭ କରି ଶିକ୍ଷା,ସ୍ୱାସ୍ଥ୍ୟ, ଉଦ୍ୟୋଗୀ, ଆଇନଶୃଙ୍ଖଳା, ମୌଳିକ ଭିତ୍ତିଭୂମି ତଥା ସାମଗ୍ରିକ ବିକାଶରେ ଓଡ଼ିଶାର ବିକଟାଳ ସ୍ଥିତି ଓ ନିକୃଷ୍ଟ ପ୍ରଦର୍ଶନର ଚିତ୍ରକୁ ଦେଶର ପ୍ରତିଷ୍ଠିତ ପତ୍ରିକା ‘ଇଣ୍ଡିଆ ଟୁଡେ’ର ୨୦ତମ ବାର୍ଷିକ ସର୍ଭେ ରିପୋର୍ଟ ପଦାରେ ପକାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଶର ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଓ ଓଡ଼ିଶା ଅନ୍ୟମାନଙ୍କ ପାଇଁ ମଡେଲ ବୋଲି କଥା କଥାରେ ଦମ୍ଭୋକ୍ତି ଦେଖାଉଥିବା ଶାସକ ବିଜେଡିର ନେତା-ମନ୍ତ୍ରୀଙ୍କ ପାଇଁ ‘ଇଣ୍ଡିଆ ଟୁଡେ’ର ଏହି ସର୍ଭେ ରିପୋର୍ଟ ଚକିତ କରିଦେବା ଭଳି ହୋଇଛି । ଆଉ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟରେ ଚାଲିଥିବା ୨୨ବର୍ଷର ସରକାରର ସଫଳତା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି।
‘ଇଣ୍ଡିଆଟୁଡ଼େ’ ନିଜର ୨୦ତମ ବାର୍ଷିକ ସର୍ଭେରେ ୧୨ଟି କ୍ଷେତ୍ରର ବର୍ତ୍ତମାନର ତଥ୍ୟ ଏବଂ ଗତ ୫ବର୍ଷର ତଥ୍ୟକୁ ବିଶ୍ଲେଷଣ କରି ରାଜ୍ୟଗୁଡ଼ିକର ସଫଳତାକୁ ଆକଳନ କରିଛି । ଆଉ ଏହି ୧୨ଟି କ୍ଷେତ୍ର(ବର୍ଗ) ମଧ୍ୟରୁ କୌଣସି ଗୋଟିଏରେ ବି ପ୍ରଥମ ୫ଟି ସ୍ଥାନ ମଧ୍ୟରେ ରହିବାରେ ଓଡ଼ିଶା ସକ୍ଷମ ହୋଇପାରିନି ।ଦିଲ୍ଲୀର ଥିଙ୍କଟ୍ୟାଙ୍କ ସଂସ୍ଥା ମାର୍କେଟିଂ ଆଣ୍ଡ ଡେଭଲପମେଂଟ ରିସର୍ଚ୍ଚ ଆସୋସିଏଟ(ଏମଡିଆରଏ)ର ସହଯୋଗରେ ଇଣ୍ଡିଆ ଟୁଡେର ଉକ୍ତ ସର୍ଭେ ୨୦୨୨ ଜୁଲାଇରୁ ନଭେମ୍ବର ମାସ ମଧ୍ୟରେ ବିଭିନ୍ନ ତଥ୍ୟ ଓ ଦସ୍ତାବିଜର ସହଯୋଗରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି ।