ପାଓ୍ବାର କଟ୍ କୁ ନେଇ ଗୁଡ୍ ନ୍ୟୁଜ୍ ଦେଇଛନ୍ତି ମୁଖ୍ୟମନ୍ତ୍ରୀ,ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ସମୟରେ ଘଣ୍ଟା ଘଣ୍ଟା ଧରିକଟିବନି ବିଦ୍ୟୁତ

ଖରାଦିନେ ଆଉ ଅସହ୍ୟ ତାତିରେ ଛଟପଟ ହେବେନି ଲୋକେ ।ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ସମୟରେ ଘଣ୍ଟା ଘଣ୍ଟା ଧରିକଟିବନି ବିଦ୍ୟୁତ । ପାଓ୍ବାର କଟ୍କୁ ନେଇ ଏକ ଗୁଡ୍ ନ୍ୟୁଜ୍ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଯାହା ସମସ୍ତଙ୍କୁ ଆଶ୍ବସ୍ତ କରାଇବ । ଗୁରୁବାର ବାଲିଅନ୍ତା ଠାରେ ବିଦ୍ୟୁତ ସବ୍ ଷ୍ଟେସନ ଲୋକାର୍ପଣ ଅବସରରେ ଖରାଦିନେ ପାଓ୍ବାର କଟ୍ ହେବନି ବୋଲି ନିଶ୍ଚିତ କରିଛନ୍ତି । ଅଘୋଷିତ ବିଦ୍ୟୁତ୍ କାଟ୍ ଏକ ଦଣ୍ଡନୀୟ ଅପରାଧ । ଯେଉଁ ଅଧିକାରୀ ବିଦ୍ୟୁତ କାଟ୍ କରିବେ ତାଙ୍କୁ ଜେଲ୍ ମଧ୍ୟ ଯିବାକୁ ପଡିପାରେ ।

ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ଠାରେ ଭୁବନେଶ୍ୱର ବିଦ୍ୟୁତ ଶକ୍ତି ବ୍ୟବସ୍ଥାର ସମ୍ପ୍ରସାରଣ । ୬୦୦ କୋଟି ବ୍ୟୟରେ ୩ ଗ୍ରୀଡ୍ ସବ୍‌ଷ୍ଟେସନ୍ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୮ଟି ଗୁରୁତ୍ୱପୂର୍ଣ୍ଣ ଟ୍ରାନ୍ସମିସନ୍ ଲାଇନ୍ ମଧ୍ୟ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଜି ଏକ ଐତିହାସିକ ଦିନ । ଭୁବନେଶ୍ୱର ଆଜି ବିଶ୍ୱସ୍ତରୀୟ ହେବାକୁ ଯାଉଛି । ବିଦ୍ୟୁତ ସେବା କ୍ଷେତ୍ରରେ ଆପଣ ଉପଯୁକ୍ତ ସେବା ପାଇବାକୁ ଯାଉଛି । ଏହାଦ୍ବାରା ୩୩ ଲକ୍ଷ ଉପଭୋକ୍ତା ଉପକୃତ ହେବେ । ଓପିଟିସିଏଲ ଏକ ବର୍ଷ ଭିତରେ ଏ ସଫଳତା ପାଇଛି । ପୂର୍ବରୁ ଆମେ କେବଳ ଚନ୍ଦକା ଗ୍ରୀଡ୍ ଉପରେ ନିର୍ଭର କରୁଥିଲେ । ଆମ ସରକାର ଏକ ବର୍ଷରେ ଏହା କରିଛନ୍ତି । ପୂର୍ବ ସରକାରରେ ରାଜନୈତିକ ଇଚ୍ଛାଶକ୍ତି ନ ଥିବାରୁ ଏ କାମ ହୋଇପାରୁ ନଥିଲା । ଆଜି ବାଲିଅନ୍ତା, ସତ୍ୟନଗର, ଏସସିବି ମେଡିକାଲ କଲେଜ ସବ୍ ଷ୍ଟେସନକୁ ଉଦଘାଟନ ହୋଇଛି । ଏଥିସହ ୮ଟି ଟ୍ରାନ୍ସମିଶନ ଉଦଘାଟନ ହେଉଛି । ଆମ ସରକାର ସବୁ ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି ।

୨୪ ବର୍ଷରେ ପୂର୍ବ ସରକାର ଗୋଟିଏ ସବ୍ ଷ୍ଟେସନ କରିନଥିଲେ । ଆମେ ୪ ସବ୍ ଷ୍ଟେସନ କରି ଦେଖାଇଲୁ । ୨୦୧୯ରେ ବାଲିଅନ୍ତା ପାଇଁ କାର୍ଯ୍ୟାଦେଶ ଦିଆଯାଇଥିଲା । ହେଲେ କାମ ହେଉ ନଥିଲା । ଏବେ ଆଉ ଭୁବନେଶ୍ୱର ଅନ୍ଧାର ହେବ ନାହିଁ । ସତ୍ୟନଗରରେ ସବ୍ ଷ୍ଟେସନ ନିର୍ମାଣ ଆମ ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା । ବାତ୍ୟା କିମ୍ବା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବିଦ୍ୟୁତ କିପରି ନଯିବ ସେ ବ୍ୟବସ୍ଥା ମଧ୍ୟ କରାଯାଇଛି । ଏହାଦ୍ୱାରା ଭୁବନେଶ୍ୱର ଆଇଟି ହବ୍ ହେବ । ପୁଞ୍ଜି ନିବେଶ ବଢିବ । ସ୍ଥାନୀୟ ଲୋକଙ୍କ ଜୀବନ ଧାରଣ ମାନ ବଢିବ ।

ଅଘୋଷିତ ବିଦ୍ୟୁତ କାଟ୍ ଏକ ଦଣ୍ଡନୀୟ ଅପରାଧ । ଯେଉଁ ଅଧିକାରୀ ବିଦ୍ୟୁତ କାଟ୍ କରିବେ ତାଙ୍କୁ ଜେଲ୍ ମଧ୍ୟ ଯିବାକୁ ପଡିପାରେ । ଓଡ଼ିଶାରେ ଏବେ ଦ୍ବିତୀୟ ଶିଳ୍ପ ବିପ୍ଳବ ଚାଲିଛି । ଏଥିପାଇଁ ୨୪ ଘଣ୍ଟିଆ ବିଜୁଳି ଆବଶ୍ୟକ । ହେଲେ ୨୪ ବର୍ଷିଆ ସରକାର ଏହା କରିନଥିଲେ । ଖରାଦିନେ ସମ୍ପୂର୍ଣ୍ଣ ଭାବେ ବିଦ୍ୟୁତ କାଟ୍ ହେବନାହିଁ । ଏହା ଆମ ସଙ୍କଳ୍ପ । ୨୦୨୭ ମାର୍ଚ୍ଚ ସୁଦ୍ଧା ରାଜ୍ୟର ସବୁ ଘରକୁ ବିଜୁଳି ପହଁଚିବ । ୨୦୩୬ରେ ଆମ ସ୍ୱପ୍ନର ଓଡ଼ିଶାର ଗଠନ କରିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Leave a comment