ଓଡିଶା ସିଭିଲ ସର୍ଭିସ ପରୀକ୍ଷା ସଂଶୋଧନ ଯୁଗାନ୍ତକାରୀ ପଦକ୍ଷେପ

ଭୁବନେଶ୍ବର: ବହୁ ବର୍ଷ ପରେ ଓଡ଼ିଆ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ଆଶା ଓ ସଂଭାବନା ସୃଷ୍ଟି ହୋଇଛି । ଓଡ଼ିଶା ସିଭିଲ ସର୍ଭିସରେ ଓଡ଼ିଆ ଭାଷାକୁ ଗୁରୁତ୍ବ ଦେଇଛନ୍ତି ସରକାର । ଆଶାୟୀଙ୍କ ଅନେକ ଦିନର ଦାବି ପୂରଣ ହୋଇଛି । ନୂଆ ପଦ୍ଧତିରେ ହେବ ଓଡିଶା ସିଭିଲ ସର୍ଭିସ, ଓଏଏସ୍ ପରୀକ୍ଷା । ଏ ନେଇ ଓଡିଶା ସିଭିଲ ସର୍ଭିସ ପରୀକ୍ଷା ସଂଶୋଧନ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁର ଦେଇଛି ।

ବହୁ ବର୍ଷ ହେଲା ସିଭିଲ୍ ସର୍ଭିସ ପରୀକ୍ଷାର ପାଠ୍ୟକ୍ରମ ଓ ଢାଞ୍ଚା ଭିନ୍ନ ଭିନ୍ନ ଥିଲା । ଉଭୟ ପରୀକ୍ଷା ପାଇଁ ଆଶାୟୀ ପ୍ରାର୍ଥୀଙ୍କୁ ପୃଥକ ଭାବେ ପ୍ରସ୍ତୁତ ହେବାକୁ ପଡ଼ୁଥିଲା । ଫଳରେ ପ୍ରାର୍ଥୀ ଚାପରେ ରହୁଥିଲେ । ସଫଳତା ପାଉନଥିଲେ । ତେଣୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଓଡ଼ିଶା ବେସାମରିକ ସେବା ନିୟମାବଳୀ ୧୯୯୧ରେ ସଂଶୋଧନ କରିଛନ୍ତି । ପୂର୍ବରୁ ଲିଖିତ ପରୀକ୍ଷା ଓ ସାକ୍ଷାତକାରକୁ ମିଶାଇ ସମୁଦାୟ ୨୨୫୦ ନମ୍ବରର ପରୀକ୍ଷା ହେଉଥିଲା। ଏହାକୁ ସରକାର କମାଇଦେଇଛନ୍ତି । ଏବେ ସଂଶୋଧିତ ବ୍ୟବସ୍ଥା ଅନୁସାରେ, ୨ହଜାର ମାର୍କର ପରୀକ୍ଷା ହେବ।

ସବୁଠୁ ବଡ଼ କଥା ହେଲା ପୂର୍ବରୁ ଇଂରାଜି ରଚନା ବାଧ୍ୟତାମୂଳକ ରହିଥିଲା, ଯାହା କି ଓଡ଼ିଆ ଆଶାୟୀ ପ୍ରାର୍ଥୀଙ୍କ ପାଇଁ ସମସ୍ୟା ହେଉଥିଲା । ମାତ୍ର ଏବେ ଗୋଟିଏ ରଚନା ପରୀକ୍ଷା ହେବ। ଯାହାକୁ ଇଂରାଜି କିମ୍ବା ଓଡ଼ିଆ ଭାଷାରେ ଛାତ୍ରଛାତ୍ରୀମାନେ ଲେଖିପାରିବେ। ସେହିଭଳି ଛାତ୍ରଛାତ୍ରୀ ଚାହିଁଲେ ଇଂରାଜି ବା ଓଡ଼ିଆରେ ସାକ୍ଷାତକାର ଦେଇପାରିବେ। ତେବେ ଏ ନେଇ ସେମାନେ ଆବେଦନ ସମୟରେ ଜଣାଇବାକୁ ପଡ଼ିବ । ତେବେ କହିବାକୁ ଗଲେ ବର୍ଷ ବର୍ଷ ଧରି ଓଡ଼ିଆ ଆଶାୟୀ ପ୍ରାର୍ଥୀମାନେ ଯେଉଁ ଦାବି କରୁଥିଲେ ତାହା ପୂରଣ ହୋଇଛି । ଏହାଦ୍ବାରା ଓଡ଼ିଆ ମାଧ୍ୟମର ଆଶାୟୀ ପ୍ରାର୍ଥୀଙ୍କ ପାଇଁ ବଡ଼ ସୁଯୋଗ ରହିବ ।