ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଦିଲ୍ଲୀ ଗସ୍ତରେ ମୋହନ ମନମୋହନ | ରାଜ୍ୟରେ ବିଧାନସଭା ପରେ ପରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ବଢିଲା ଚର୍ଚ୍ଚା | ଦୁଇ ମାସ ପରେ ଦୁଇ ବର୍ଷ ପୂର୍ତ୍ତି କରିବାକୁ ଯାଉଥିବା ମୋହନ ସରକାର ନେଇପାରନ୍ତି ବଡ଼ ପଦକ୍ଷେପ | ମନ୍ତ୍ରିମଣ୍ଡଳରେ ୬ ମନ୍ତ୍ରୀପଦ ଖାଲି ପଡିଛି । ମନ୍ତ୍ରୀପଦ ପୂରଣ ପାଇଁ ଦିଲ୍ଲୀରେ ମାନସ ମନ୍ଥନ ଚାଲିଥିବା ଚର୍ଚ୍ଚା ଜୋରଧରିଛି । ଏହାସହ ନିଗମ ପଦ ପୂରଣ ନେଇ ବି ବଡ ନିଷ୍ପତ୍ତି ନେଇପାରନ୍ତି ମୁଖ୍ୟମନ୍ତ୍ରୀ |

ଦୁଇ ମାସ ପରେ ଦୁଇ ବର୍ଷ ପୂରଣ କରିବେ ମୋହନ ମାଝୀ ସରକାର | ହେଲେ ଏହି ଦୁଇ ମାସ ମଧ୍ୟରେ ସରକାରର ବଡ ନିଷ୍ପତ୍ତି ନେବାକୁ ଅଣ୍ଟା ଭିଡ଼ିଛନ୍ତି | ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ ସହ ବୋର୍ଡ ନିଗମ ପଦବୀ ପୂରଣ ନେଇ ଦିନପରେ ଦିନ ଗଡୁଥିବାରୁ ଏହି ପ୍ରକ୍ରିୟାକୁ ଦୁଇ ମାସ ମଧ୍ୟରେ ଶେଷ କରିବାପାଇଁ କେନ୍ଦ୍ରରୁ ନିର୍ଦେଶ ଆସିଛି | କୁହାଯାଉଛି ଦିଲ୍ଲୀ ନେତୃତ୍ୱଙ୍କ ପାଖରେ ଏବେ ରାଜ୍ୟ ମନ୍ତ୍ରୀମାନଙ୍କ ରିପୋର୍ଟ କାର୍ଡ | ଏହି ରିପୋର୍ଟ କାର୍ଡ ଅନୁଯାୟୀ ସମ୍ପ୍ରସାରଣ ହେବ ମନ୍ତ୍ରୀମଣ୍ଡଳ | ଚର୍ଚ୍ଚା ଅନୁଯାୟୀ ଏକାଧିକ ବିଭାଗ ଥିବା ମନ୍ତ୍ରୀମାନଙ୍କଠାରୁ କିଛି ବିଭାଗ କାଢି ନୂଆ ମନ୍ତ୍ରୀମାନଙ୍କୁ ହସ୍ତାନ୍ତର କରାଯିବ | ଅତି ଆବଶ୍ୟକ ପଡିଲେ ମନ୍ତ୍ରୀମଣ୍ଡଳରେ କିଛି ଅଦଳ ବଦଳ ମଧ୍ୟ କରାଯାଇପାରେ |

ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟ ସଭାପତି ମନମୋହନ ସାମଲ ଦିଲ୍ଲୀ ଗସ୍ତରେ ଥିବାରୁ ଏଭଳି ଆଲୋଚନା ଜୋର ଧରିଛି | ଦିଲ୍ଲୀରେ ମହାମହିମ ରାଷ୍ଟ୍ରପତିଙ୍କୁ ଭେଟିବାସହ କିଛି କେନ୍ଦ୍ର ମନ୍ତ୍ରୀ ଏବଂ ବରିଷ୍ଠ ଦଳୀୟ ନେତୃତ୍ୱଙ୍କ ସହିତ ଆଲୋଚନା କରିବେ ମୋହନ ଓ ମନମୋହନ | ତେବେ ସୂଚନା ଅନୁଯାଇ, ବିଧାନସଭା ଅଧିବେଶନ ଶେଷ ହେବା ପରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରିବାକୁ ଦିଲ୍ଲୀରେ ପ୍ରସ୍ତୁତ ହେଉଛି ଯୋଜନା ।

ରାଜ୍ୟ ବିଧାନସଭାର ସଦସ୍ୟ ସଂଖ୍ୟା ଆଧାରରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ୨୨ ଜଣ ମନ୍ତ୍ରିମଣ୍ଡଳରେ ରହିପାରିବେ | ହେଲେ ମୋହନଙ୍କ ମନ୍ତ୍ରିମଣ୍ଡଳରେ ଅଛନ୍ତି ୧୬ ଜଣ ମନ୍ତ୍ରୀ | ଆଉ ବାକିଥିବା ୬ ଟି ମନ୍ତ୍ରୀ ପଦ ପୂରଣ କରିବାକୁ ଆରମ୍ଭ ହୋଇଛି ପ୍ରସ୍ତୁତି | ତେବେ ଖାଲି ପଡ଼ିଥିବା ୬ ମନ୍ତ୍ରୀ ପଦକୁ ବିଧାନସଭା ଅଧିବେଶନ ସରିବା ପରେ ପରେ ପୂରଣ କରାଯିବ | ତେବେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପାଇଁ କିଛି କ୍ରାଇଟେରିଆ ରଖାଯାଇଛି ।

Leave a comment