ନବବଧୂର ଝୁଲନ୍ତା ମୃତଦେହ ଉଦ୍ଧାର
ବେଶି ଦିନ ତିଷ୍ଠିଲା ନାହିଁ ହସଖୁସିର ସଂସାର। ମାତ୍ର ବର୍ଷକରେ ଛାରଖାର ହୋଇଗଲା। ଯେଉଁ ଘରକୁ ନିଜର ଭାବି ବର୍ଷେ ତଳେ ପାଦ ଦେଇଥିଲେ, ସେଠାରୁ ହିଁ ମିଳିଲା ନବବଧୂଙ୍କ ମୃତଦେହ। ବାପ ଘର ଲୋକେ ହତ୍ୟା ଅଭିଯୋଗ ଆଣୁଥିବା ବେଳେ ଶାଶୁ ଘର ଲୋକେ କିନ୍ତୁ ଏହା ଆତ୍ମହତ୍ୟା ବୋଲି କହିଛନ୍ତି। ଏପରି ସାଂଘାତିକ ଘଟଣା ଗତକାଲି ରାଜଧାନୀରେ ଘଟିଛି।ମୃତା ନବବଧୂଜଣକ ହେଲେ କଟକ ଜିଲ୍ଲା ନିଆଳି ବାଆରାଣାର ସୁଶ୍ରୀ ସଙ୍ଗୀତା ବସ୍ତିଆ । ସେ ଭୁବନେଶ୍ୱରର ନୂଆ ଗାଁ ଗୋବିନ୍ଦପୁରର ପ୍ରବୀଣ ଚନ୍ଦ୍ର ନାୟକଙ୍କୁ ବିବାହ କରିଥିଲେ। ଗତକାଲି ଆଲୋକର ପର୍ବ ଦୀପାବଳି ପାଳନ କରିବାରେ ସମସ୍ତେ ମସଗୁଲ ଥିବା ବେଳେ ହେଲେ ବାଆରାଣାର କନକ ବସ୍ତିଆଙ୍କ ପରିବାର ଉପରେ ପଡ଼ିଲା ଚଡ଼କ । ହଠାତ୍ ଫୋନ୍ରେ ଯାହା ଶୁଣିଲେ ତାଙ୍କ ପାଦ ତଳୁ ମାଟି ଖସିଗଲା। ବର୍ଷେ ତଳେ ବାହା ଦେଇଥିବା ଝିଅ ଅଚେତ ହୋଇ ପଡ଼ିଥିବା ଖବର ପାଇ ପହଞ୍ଚିବା ବେଳକୁ ଝିଅ ମରି ପଡ଼ିଥିବା ଦେଖିବାକୁ ପାଇଲେ।
ଅଭିଯୋଗ ମୁତାବକ ୨୦୨୧ ମସିହା ଜାନୁଆରୀ ୨୦ରେ ସୁଶ୍ରୀ ସଙ୍ଗୀତା ବସ୍ତିଆ ଗୋବିନ୍ଦପୁରର ପ୍ରବୀଣ ଚନ୍ଦ୍ର ନାୟକଙ୍କୁ ବିବାହ କରିଥିଲେ। ସୁଶ୍ରୀ ସଙ୍ଗୀତା ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ନର୍ସ ଭାବେ କାମ କରୁଥିଲେ। ପ୍ରବୀଣ ମାଇନ୍ସରେ କାମ କରୁଥିବା ବିବାହ ପୂର୍ବରୁ ପୁଅ ଘର ପକ୍ଷରୁ କୁହାଯାଇଥିଲା। କିନ୍ତୁ ବିବାହ ପରେ ସେ ପାଣି ଫ୍ୟାକ୍ଟ୍ରି କରିଥିବା କୁହାଯାଇଥିଲା। ଏହାପରେ ମଧ୍ୟ ବେଶ ହସଖୁସିରେ ଗଡ଼ୁଥିଲା ଉଭଙ୍କ ସଂସାର। ସେମାନେ ଭୁବନେଶ୍ୱର କଳିଙ୍ଗ ନଗରରେ ଭଡା ଘରେ ରହୁଥିଲେ ।