ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ  । ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଓ ଅଭିନନ୍ଦନ ଦେଉଛନ୍ତି ତାଙ୍କ ଶୁଭଚିନ୍ତକ । ଆଜି ୭୮ବର୍ଷ ବୟସରେ ପଦାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜନସେବା କରିବାର ୨୬ ବର୍ଷ ଅତିକ୍ରମ କରିଥିବା ନବୀନ ପଟ୍ଟନାୟକ କେବଳ ରାଜ୍ୟରେ ନୁହେଁ ସାରା ଦେଶରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ସାମାଜିକ ଗଣମାଧ୍ୟମରେ ତାଙ୍କର ଅନୁଗାମୀମାନେ ଲୋକପ୍ରିୟ ନବୀନଙ୍କୁ ପ୍ରଶଂସା କରିବା ସହ ଅଭିନନ୍ଦନ ଜଣାଉଛନ୍ତି। ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ,ନେତା ସାଧାରଣ ଜନତା ।  ତେବେ ଚଳିତ ବର୍ଷ ମୁଖ୍ୟମନ୍ତ୍ରୀ ଜନ୍ମଦିନ ପାଳିବେ ନାହିଁ ବୋଲି ଆଗରୁ କହିଛନ୍ତି । ଗତ ମାସରେ ବଡ଼ ଭଉଣୀ ଗୀତା ମେହେଟ୍ଟାଙ୍କ ପରଲୋକ ହୋଇଛି। ଯେଉଁ କାରଣରୁ ଚଳିତ ବର୍ଷ ସେ ଜନ୍ମଦିନ ପାଳନ କରିବେ ନାହିଁ। ଜନ୍ମଦିନ ଅବସରରେ ନବୀନ ନିବାସକୁ ଯାଇ ଶୁଭେଚ୍ଛା ନ ଜଣାଇବାକୁ ଶୁଭେଚ୍ଛୁଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ। ୧୯୯୭ରେ ରାଜନୀତିରେ ପା‌ଦ ଦେବା ଦିନଠାରୁ ସବୁ କ୍ଷେତ୍ରରେ ସଫଳତା ସାଉଁଟି ଚାଲିଛନ୍ତି ନବୀନ। ୨୦୦୦ ମସିହା ପର୍ଯ୍ୟନ୍ତ ସାଂସଦ ରହି ଜାତୀୟ ରାଜନୀତିରେ ବେଶ୍ ସକ୍ରିୟ ଥିଲେ।  ୨୦୦୦, ୨୦୦୪, ୨୦୦୯, ୨୦୧୪ ପରେ ୨୦୧୯ ମସିହାରେ ବିଧାୟକ ଭାବେ ଜିତି ମୁଖ୍ୟମନ୍ତ୍ରୀ ହୋଇଛନ୍ତି ।  ଚଳିତ ବିଧାନସଭାରେ ୧୧୨ ଆସନରେ ବାଜି ମାରି ଲଗାତାର ପଞ୍ଚମ ଥର ପାଇଁ କ୍ଷମତାସୀନ ହୋଇଛନ୍ତି ନବୀନ ପଟ୍ଟନାୟକ ।

ଅକ୍ଟୋବର ୧୬, ୧୯୪୬ ମସିହାରେ ଜନ୍ମଗ୍ରହଣ କରିଥିଲେ ନବୀନ ପଟ୍ଟନାୟକ । ଦୀର୍ଘ ୨୩ବର୍ଷ ହେଲା ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି।  ଗତ ୧୨ବର୍ଷରେ ମାତ୍ର ତିନି ଥର ତାଙ୍କର ଜନ୍ମଦିନ ପାଳନ କରିଛନ୍ତି । କେବଳ ୨୦୧୨, ୨୦୧୫ ଓ ୨୦୧୭ରେ ନବୀନ ନିଜ ସମର୍ଥକଙ୍କ ଗହଣରେ ଜନ୍ମଦିନ ପାଳିଛନ୍ତି। ୨୦୧୭ ମସିହାରେ ଶେଷଥର ପାଇଁ ନବୀନ ନିବାସ ପରିସରରେ ନିଜର ଦଳୀୟ କର୍ମୀ ଓ ନେତାଙ୍କ ଗହଣରେ ନବୀନ ଜନ୍ମଦିନ ପାଳନ କରିଥିଲେ। ୨୦୧୧ରେ ରାଜ୍ୟରେ ହୋଇଥିବା ବନ୍ୟା, ୨୦୧୩ରେ ବାତ୍ୟା ଫାଇଲିନ୍, ୨୦୧୪ରେ ବାତ୍ୟା ହୁଡହୁଡ, ୨୦୧୬ରେ ଉରିରେ ଯବାନଙ୍କ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ଘଟଣା ପାଇଁ ନବୀନ ତାଙ୍କ ଜନ୍ମଦିନ ପାଳନ କାର୍ଯ୍ୟକ୍ରମକୁ ଶେଷ ମୁହୂର୍ତ୍ତରେ ବାତିଲ୍ କରିଥିଲେ। ପରେ ୨୦୧୮ ମସିହାରେ ବାତ୍ୟା ତିତ୍‌ଲି, ୨୦୧୯ ମସିହାରେ ବାତ୍ୟା ‘ଫନି’,୨୦୨୦ ଓ ୨୦୨୧ରେ କୋଭିଡ୍ ମହାମାରୀ ଏବଂ ୨୦୨୨ରେ ହାଇଦ୍ରାବାଦରେ ଆୟୋଜିତ ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଯିବାରୁ ଜନ୍ମଦିନ ପାଳନ କରିନଥିଲେ ।