୧୦ ଗରିବ ରାଜ୍ୟରେ ଏବେବି ଓଡ଼ିଶା

ଗତ ଏକ ଦଶନ୍ଧି ଧରି ଓଡ଼ିଶାର ଆର୍ଥିକ ଅଭିବୃଦ୍ଧି ଜାତୀୟ ହାର ତୁଳନାରେ ଅଧିକ, ଦ୍ରୁତ ଗରିବ ହ୍ରାସ କରିବାରେ ଓଡ଼ିଶା ସବୁଠୁ ଆଗରେ ଆଦିର ବାହାସ୍ଫୋଟ ମାରି ବିକାଶର ଗୋଲାପୀ ଚିତ୍ର ଦେଉଥିବା ବିଜେଡି ସରକାରର ଅସଲ ମୁଖା ଖୋଲିଯାଇଛି । ଦୀର୍ଘ ୨୨ବର୍ଷ ଧରି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟରେ ସ୍ଥିର ସରକାର ଥିଲେ ମଧ୍ୟ ଓଡ଼ିଶା ଏବେବି ଦେଶର ପ୍ରମୁଖ ୧୦ଟି ଗରିବ ରାଜ୍ୟ ମଧ୍ୟରେ ରହିଛି । ଝାଡ଼ଖଣ୍ଡ ଓ ବିହାର ଭଳି ରାଜ୍ୟରେ ଗରିବ ସଂଖ୍ୟା ହ୍ରାସ ଓଡ଼ିଶା ତୁଳନାରେ ବେଶ୍ ଭଲ ଥିବାବେଳେ ଗୋଆ, ଜାମ୍ମୁ କାଶ୍ମୀର, ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନ ତୁଳନାରେ ବି ଓଡ଼ିଶା ଦାରିଦ୍ର‌୍ୟ ହ୍ରାସ ମାମଲାରେ ପଛରେ ରହିଛି । ଜାତିସଂଘର ୟୁଏନଡିପି ଓ ଅକ୍ସଫୋର୍ଡର ଓପିଏଚଆଇ ଦ୍ୱାରା ଜାରି ଗ୍ଲୋବାଲ ମଲଟିଡିମେନିସିଆଲ ପଭର୍ଟି ଇଣ୍ଡେକ୍ସ(ଏମପିଆଇ)-୨୦୨୨ ରିପୋର୍ଟରୁ ଏହା ଜଣାପଡ଼ିଛି । ଆଉ ଓଡ଼ିଶାରେ ପର୍ଯ୍ୟାପ୍ତ ପ୍ରାକୃତିକ ସମ୍ବଳ, ଦକ୍ଷ ମାନବ ସମ୍ବଳ, ପ୍ରଗତିଶୀଳ ନୀତି ଓ ସ୍ଥିର ସରକାରର ଆଳ ଦେଖାଇ ନିବେଶକଙ୍କୁ ଆକୃଷ୍ଟ ପାଇଁ ଉଦ୍ୟମ କରୁଥିବା ରାଜ୍ୟ ସରକାରଙ୍କର ରାଜ୍ୟରୁ ଗରିବ ହ୍ରାସ କରିବାରେ ପାରିବାପଣିଆ ବି ପଦାରେ ପଡ଼ିଛି ।