ମଙ୍ଗଳବାର ସ୍ଥଳଭାଗ ମୁହାଁଇବ ‘ମନ୍ଥା’

ବଙ୍ଗୋପସାଗରରେ ଗଭୀର ଅବପାତ କେନ୍ଦ୍ରୀଭୂତ ହେଉଛି। ସମୁଦ୍ରରୁ ବଳ ଗୋଟାଇବା ସହିତ ସୋମବାର ସକାଳ ସୁଦ୍ଧା ଆହୁରି ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ। ପରେ ସମୁଦ୍ର ଭିତ‌େ‌ର ଅଧିକ ବଳ ଗୋଟାଇ ଭୀଷଣ ବାତ୍ୟା ରୂପନେଇ ସ୍ଥଳଭାଗ ମୁହାଁଇବ ‘ମନ୍ଥା’। ଆନ୍ଧ୍ରପ୍ରଦେଶର ମଛଲିପଟନମ୍‌ ଓ କଳିଙ୍ଗପଟନମ୍‌ ମଝି କାକିନାଡ଼ା ନିକଟବର୍ତ୍ତୀ କୌଣସିଠାରେ ୨୮ତାରିଖ (ମଙ୍ଗଳବାର) ଅପରାହ୍ଣ ସାଢ଼େ ୪ରୁ ରାତି ୧୧ ମଧ୍ୟରେ ସ୍ଥଳଭାଗ ଛୁଇଁବ। ଆନ୍ଧ୍ରପ୍ରଦେଶ ଉପକୂଳରେ ‘ମନ୍ଥା’ ସ୍ଥଳଭାଗ ଅତିକ୍ରମ କଲେ ମଧ୍ୟ ଓଡ଼ିଶାର ୮ଟି ଜିଲା ଝଡ଼ବର୍ଷା ଦ୍ବାରା ଅଧିକ ପ୍ରଭାବିତ ହେବାର ସମ୍ଭାବନା ରହିଛି ବୋଲି ଭାରତ ପାଣିପାଗ ବିଭାଗ(ଆଇଏମଡି) ପକ୍ଷରୁ ସୂଚନା ଦିଆଯାଇଛି।

ଆଜିଠାରୁ ଦକ୍ଷିଣ ଓଡ଼ିଶାର ଜିଲାଗୁଡ଼ିକରେ ବର୍ଷା ସାଙ୍ଗକୁ ପବନ ବହିବାର ସମ୍ଭାବନା ରହିଛି। ୨୮ତାରିଖ ସନ୍ଧ୍ୟାରୁ ବାତ୍ୟାର ପ୍ରକୋପ ଅଧିକ ହେବ ବୋଲି ପାଣିପାଗ ବିଭାଗ ସ୍ପଷ୍ଟ କରିଛି। ରବିବାର ଗଭୀର ଅବପାତ ପ୍ରଭାବରେ ସମୁଦ୍ରରେ ଉଚ୍ଚ ଜୁଆର ଉଠିଲାଣି। ସମୁଦ୍ର କୂଳ‌େ‌ର ଡାକବାଜି ଯନ୍ତ୍ର ସାହାଯ୍ୟରେ ପର୍ଯ୍ୟଟକ ଏବଂ ସ୍ଥାନୀୟ ଲୋକଙ୍କୁ ସତର୍କ କରାଯାଉଛି।

ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଉପରେ ଥିବା ଗଭୀର ଅବପାତ ଗତ ୬ଘଣ୍ଟା ମଧ୍ୟରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ୮କି.ମି. ବେଗରେ ଗତି କରୁଥିଲା। ପୂର୍ବ ପୋର୍ଟ ବ୍ଲେୟାର (ଆଣ୍ଡାମାନ ଏବଂ ନିକୋବର ଦ୍ବୀପପୁଞ୍ଜ)ରୁ ପ୍ରାୟ ୬୭୦ କି.ମି ପଶ୍ଚିମରେ ଥିବାବେଳେ ଚେନ୍ନଇ (ତାମିଲନାଡୁ)ରୁ ୭୨୦କି.ମି. ପୂର୍ବ-ଦକ୍ଷିଣ-ପୂର୍ବରେ, ବିଶାଖାପାଟଣା (ଆନ୍ଧ୍ରପ୍ରଦେଶ)ରୁ ୭୮୦ କି.ମି. ଦକ୍ଷିଣ-ଦକ୍ଷିଣ-ପୂର୍ବରେ, କାକିନାଡ଼ା (ଆନ୍ଧ୍ରପ୍ରଦେଶ)ରୁ ୭୯୦କି.ମି. ଦକ୍ଷିଣ-ପୂର୍ବରେ ଏବଂ ଗୋପାଳପୁର(ଓଡ଼ିଶା)ରୁ ୯୦୦କି.ମି. ଦକ୍ଷିଣ-ଦକ୍ଷିଣ-ପୂର୍ବରେ କେନ୍ଦ୍ରୀଭୂତ ହେଉଛି। ଏହା ପ୍ରାୟ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ୨୭ତାରିଖ ସକାଳେ ଦକ୍ଷିଣ-ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଏକ ଘୂର୍ଣ୍ଣିଝଡ଼ରେ ପରିଣତ ହେବାର ସମ୍ଭାବନା ଅଛି। ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ୨୮ତାରିଖ ସକାଳ ସୁଦ୍ଧା ଏକ ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହେବାର ସମ୍ଭାବନା ରହିଛି। ଉତ୍ତର-ଉତ୍ତର-ପଶ୍ଚିମ ଦିଗରେ ଆଗକୁ ଗତି କରି ଏହା ୨୮ ତାରିଖ ସନ୍ଧ୍ୟା କିମ୍ବା ରାତିରେ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବା ସମ୍ଭାବନା ଅଧିକ। ଯାହାର ସର୍ବାଧିକ ନିରନ୍ତର ପବନର ବେଗ ଘଣ୍ଟାପ୍ରତି ୯୦ରୁ ୧୦୦କି.ମି. ଏବଂ ସ୍ଥଳବିଶେଷରେ ଝଟକା ପବନର ବେଗ ଘଣ୍ଟାପ୍ରତି ୧୧୦କି.ମି. ପର୍ଯ୍ୟନ୍ତ
ବହିବାର ସମ୍ଭାବନା ରହିଛି। ବାତ୍ୟା ଆନ୍ଧ୍ରପ୍ରଦେଶ ଉପକୂଳରେ ମାଡ଼ ହେଲେ ବି ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସାଙ୍ଗକୁ ପବନ ବହିବ। ଦକ୍ଷିଣ ଓଡ଼ିଶାର ଜିଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଥିବାବେଳେ ଆଭ୍ୟନ୍ତରୀଣ ଓଡ଼ିଶାରେ ଅତି ପ୍ରବଳ ଏବଂ ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ପ୍ରବଳ ବର୍ଷାର ଆଶଙ୍କା ରହିଛି। ଦକ୍ଷିଣ ଓଡ଼ିଶାର ଜିଲାଗୁଡ଼ିକରେ ପବନର ବେଗ ଘଣ୍ଟାପ୍ରତି ୬୦ରୁ ୭୦କି.ମି.ଏବଂ ସ୍ଥଳବିଶେଷରେ ଝଟକା ପବନର ବେଗ ଘଣ୍ଟାପ୍ରତି ୮୦କି.ମି. ପର୍ଯ୍ୟନ୍ତ ରହିପାରେ ବୋଲି ଆଇଏମଡି ପକ୍ଷରୁ ସୂଚନା ଦିଆଯାଇଛି। ସମ୍ଭାବ୍ୟ ବାତ୍ୟା ଆନ୍ଧ୍ରପ୍ରଦେଶରେ ତାଣ୍ଡବ ରଚିବାକୁ ଥିବାବେଳେ ଓଡ଼ିଶାକୁ ଅତି ପ୍ରବଳ ବର୍ଷା ଭୟ ରହିଛି।

ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ବୁଲେଟିନ୍ ସୂଚନାନୁଯାୟୀ, ସାମୁଦ୍ରିକ ଝଡ଼ ଦ୍ବାରା ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ନବରଙ୍ଗପୁର, କନ୍ଧମାଳ, କଳାହାଣ୍ଡି ଜିଲାକୁ ରେଡ୍ ୱାର୍ଣ୍ଣିଂ ଦିଆଯାଇଛି। ଏହିସବୁ ଜିଲାରେ ଅଧିକ ପ୍ରଭାବ ପକାଇବ ‘ମନ୍ଥା’। ସୋମବାର ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, କନ୍ଧମାଳ, ନବରଙ୍ଗପୁର, କଳାହାଣ୍ଡି ଏବଂ ଗଞ୍ଜାମ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ବିଜୁଳି ଘଡ଼ଘଡ଼ି ସହିତ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ତେଣୁ ଉପରୋକ୍ତ ଜିଲାଗୁଡ଼ିକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି ନୂଆପଡ଼ା, ବଲାଙ୍ଗିର, ବୌଦ୍ଧ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଜିଲାରେ ପ୍ରବଳ ବର୍ଷା ହେବ। ଉପରୋକ୍ତ ଜିଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ଅଛି। ଏହିଦିନ ଉପରୋକ୍ତ ଜିଲାଗୁଡ଼ିକରେ ଘଣ୍ଟାପ୍ରତି ୩୦ରୁ ୪୦କି.ମି. ଏବଂ ସ୍ଥଳବିଶେଷରେ ଘଣ୍ଟାପ୍ରତି ୫୦କି.ମି. ବେଗରେ ପବନ ବହିପାରେ। ବିଶେଷକରି ସୋମବାର ସନ୍ଧ୍ୟାରୁ ଓଡ଼ିଶା ଉପକୂଳରେ ଘଣ୍ଟାପ୍ରତି ୪୫ରୁ ୫୫କି.ମି. ଏବଂ ସ୍ଥଳବିଶେଷରେ ଘଣ୍ଟାପ୍ରତି ଝଟକା ପବନର ୬୫କି.ମି. ବେଗରେ ବହିବାର ସମ୍ଭାବନା ରହିଛି। ସମୁଦ୍ର ଅଶାନ୍ତ ରହିବା କାରଣରୁ ମତ୍ସ୍ୟଜୀବୀଙ୍କୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଯିବାକୁ ବାରଣ କରିଛି ପାଣିପାଗ ବିଭାଗ। ସମସ୍ତ ବନ୍ଦରକୁ ୧ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି।

Leave a comment