ବର୍ତ୍ତମାନ ଯୁବପିଢ଼ିଙ୍କ ମଧ୍ୟରେ ଛାଡ଼ପତ୍ର ସମସ୍ୟା ବହୁଳ ମାତ୍ରାରେ ବଢ଼ିଯାଇଛି । ସ୍ୱାମୀ-ସ୍ତ୍ରୀ ଉଭୟଙ୍କ ମଧ୍ୟରେ ବୁଝାମଣାର ଅଭାବ । ଉଭୟ ଉଭୟଙ୍କ ପ୍ରତି ଦୋଷାରୋପ କରିବା, ପରସ୍ପର ପ୍ରତି ସନ୍ଦେହ ଯୋଗୁଁ ଛାଡ଼ପତ୍ର ସଂଖ୍ୟା ଦିନକୁ ଦିନ ବଢ଼ୁଛି । ଅଳ୍ପ କିଛି ମାମଲାରେ ସତ୍ୟତା ଥାଇପାରେ । ହେଲେ ଅଧିକାଂଶ ମାମଲାରେ ସନ୍ଦେହ ହିଁ ଛାଡ଼ପତ୍ରର ପ୍ରମୁଖ କାରଣ । ମୁଖ୍ୟତଃ ସ୍ମାର୍ଟଫୋନ୍ ଏଥିପାଇଁ ଦାୟୀ । ସରଳ ଭାଷାରେ କହିଲେ ସବୁ ନାଟର ଗୋବର୍ଦ୍ଧନ ହେଉଛି ମୋବାଇଲ୍ । ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଟିଂ ଯୋଗୁଁ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ବିଶ୍ବାସ ଆଜି ସଂକଟରେ । ଯାହାଦ୍ବାରା ପରସ୍ପର ମଧ୍ୟରେ ସନ୍ଦେହ ବଢ଼ୁଥିବା କଥା ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷା ଶୋଭନା ମହାନ୍ତି କହିଛନ୍ତି ।
ମୋବାଇଲ୍ ଜରିଆରେ ଶାଶୁଘରେ କରାଯାଉଥିବା କଥାବାର୍ତ୍ତା ଛାଡ଼ପତ୍ରର କାରଣ ପାଲଟୁଛି । ଅନ୍ୟପକ୍ଷରେ ଉଚ୍ଚ ବର୍ଗରେ ଅହଙ୍କାର ହେଉଛି ଏହାର ଦ୍ବିତୀୟ ବଡ଼ କାରଣ । ଶାଶୁଘରର ପ୍ରତିଟି ଛୋଟରୁ ଛୋଟ କଥା ବାପଘରକୁ ଜଣାଇବା ଦ୍ବାରା ସଂପର୍କରେ ଅଧିକ ଫାଟ ସୃଷ୍ଟି ହୁଏ ଏବଂ ସଂପର୍କ ଭାଙ୍ଗିବାର ସମ୍ଭାବନା ମଧ୍ୟ ବଢ଼ିଯାଏ । ଅନ୍ୟପକ୍ଷରେ ଆଇନଜୀବୀ କହିଛନ୍ତି ଯେ ଆର୍ଥିକ ସ୍ତରରେ ସବଳ ସ୍ବାମୀ , ସ୍ତ୍ରୀଙ୍କ ଅହଙ୍କାର ଅଧିକ ଥାଏ । ଛୋଟ ଛୋଟ ଝଗଡ଼ାରେ ଦୁହିଁଙ୍କ ଇଗୋ ହର୍ଟ ହେଲେ ମାମଲା ଛାଡ଼ପତ୍ରର ରୂପ ନିଏ । ଯଦି ସ୍ବାମୀ,ସ୍ତ୍ରୀ ଅନ୍ୟ କାହା ସାମ୍ନାରେ କାହାରିକୁ ପାଟି କରିଦିଅନ୍ତି ତା’ହେଲେ ଛାଡ଼ପତ୍ର ହେବାରେ ଅଧିକ ସମୟ ଲାଗେନି ।
ତେବେ ଖାଲି ଉଚ୍ଚ ବର୍ଗ କାହିଁକି ଏହି ତାଲିକାରେ ଗରିବ ଶ୍ରେଣୀର ଦମ୍ପତି ମଧ୍ୟ ସାମିଲ ହେଲେଣି । ହେଲେ ଗରିବ ମହଙ୍ଗା ନ୍ୟାୟ ବ୍ୟବସ୍ଥା ଏବଂ ଆଇନର ସାହାରା ନେଉନଥିବାରୁ ଏହି ସମସ୍ୟା ଆଗକୁ ଆସିନଥାଏ । ଫଳରେ ଏଭଳି ଦମ୍ପତି ସବୁବେଳେ ଝଗଡ଼ା ଲାଗି ଏକସଙ୍ଗରେ ରହିଯାଆନ୍ତି ନହେଲେ ଅଲଗା ହୋଇ ରୁହନ୍ତି । ରେକର୍ଡରେ ଏମାନଙ୍କ ନାଁ ଆସିନଥାଏ । କିନ୍ତୁ ସମ୍ଭ୍ରାନ୍ତ ଶ୍ରେଣୀ ବର୍ଗରେ ଅଧିକ ଦମ୍ପତି ଛାଡ଼ପତ୍ରର ବାଟ ବାଛିଥା’ନ୍ତି । ଯେଉଁଥିପାଇଁ ଏମାନଙ୍କ ରେକର୍ଡ ଅଧିକ ସାମ୍ନାକୁ ଆସିଥାଏ ।