ଦାରୁଠେଙ୍ଗ ଡମ୍ପିଂୟାର୍ଡ ନିକଟରେ ବିଏମସିର ଅଳିଆ ଗାଡି ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ ଘଟଣା
ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ଦାରୁଠେଙ୍ଗର ଭୁଆସୁଣୀରେ ଅଳିଆ ଡମ୍ପିଂକୁ ସାମୟିକ ସମୟ ପାଇଁ ବନ୍ଦ କରି ଦେଇଛି ଭୁବନେଶ୍ୱର ମହାନଗର ନିଗମ। ଆଜି ସକାଳେ ଏଠାରେ ଏକ ଅଳିଆ ବୋଝେଇ ଟ୍ରକ୍ ଧକ୍କାରେ ଜଣଙ୍କ ମୃତ୍ୟୁ ଘଟିବା ପରେ ବିଏମ୍ସି ଏହି ନିଷ୍ପତ୍ତି ନେଇଥିବା ମେୟର ସୁଲୋଚନା ଦାସ କହିଛନ୍ତି।ମେୟର କହିଛନ୍ତି, ଦାରୁଠେଙ୍ଗବାସୀଙ୍କ ସହିତ ପରବର୍ତ୍ତୀ ଆଲୋଚନା ପର୍ଯ୍ୟନ୍ତ ଏଠାରେ ଡମ୍ପିଂ ବନ୍ଦ ରଖାଯିବ। ନିଶ୍ଚିତ ଭାବେ ସେମାନଙ୍କ ସହିତ ଆଉ ଗୋଟିଏ ପର୍ଯ୍ୟାୟ ଆଲୋଚନା ହେବ। ସେହିପରି ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରର ଜଣଙ୍କୁ ଆମେ ଠିକା ନିଯୁକ୍ତି ଦେବୁ। ତା’ସହିତ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଦିଆଯିବ।ମେୟର ଶ୍ରୀମତୀ ଦାସ ଆହୁରି କହିଛନ୍ତି, ଏଠାରେ ଟ୍ରାଫିକର ବ୍ୟବସ୍ଥା କରାଯିବ। ହଂପ୍ସ ନିର୍ମାଣ କରାଯିବ। ତା’ସହିତ ଆମର ପ୍ରତ୍ୟେକ ଏଜେନ୍ସୀର ଗାଡ଼ିଗୁଡ଼ିକୁ ଆମେ ଯାଞ୍ଚ କରିବୁ। ସେଗୁଡ଼ିକର ଫିଟ୍ନେସ୍ ସହିତ ନିୟମ ଅନୁଯାୟୀ ଆଉ ଯାହା ସବୁ ରହିବା କଥା, ସେଥିପ୍ରତି ଧ୍ୟାନ ଦେବୁ।
ମେୟରଙ୍କ ଏହି ଘୋଷଣା ପରେ ସ୍ଥାନୀୟ ଲୋକେ ରାସ୍ତାରୋକରୁ ଓହରି ଯାଇଥିଲେ ଓ ଶବକୁ ସଂସ୍କାର ପାଇଁ ନେବାକୁ ଦେଇଥିଲେ। ତେବେ ମେୟରଙ୍କ ଘୋଷଣାରେ ସଂପୂର୍ଣ୍ଣ ଖୁସି ନାହାନ୍ତି ଦାରୁଠେଙ୍ଗବାସୀ। ମେୟର ଆଉ ଏକ ପର୍ଯ୍ୟାୟ ଆଲୋଚନା କଥା କହୁଥିବା ବେଳେ କିଛି ଲୋକ କହୁଛନ୍ତି ଆଉ ଆଲୋଚନା ହେବ ନାହିଁ। ଦାରୁଠେଙ୍ଗରେ ଡମ୍ପିଂୟାର୍ଡ ସବୁ ଦିନ ପାଇଁ ବନ୍ଦ ହେଲା। ଅନ୍ୟ କିଛି ଲୋକ କହୁଛନ୍ତି ଯଦି ଆଲୋଚନା ହେବ ତା’ହେଲେ ଦାରୁଠେଙ୍ଗରେ ହେବ, ବିଏମ୍ସି ଅଫିସ୍ରେ ନାହିଁ।