ପ୍ରେମ ବିବାହ କରିଛନ୍ତି ବିଜେପି-ବିଜେଡି :ଖଡ଼ଗେ

ଭୁବନେଶ୍ବର: ପ୍ରେମ ବିବାହ କରିଛନ୍ତି ବିଜେପି-ବିଜେଡି । ଧନୀଙ୍କ ପାଇଁ କାମ କରୁଛନ୍ତି ବିଜେପି ଓ ବିଜେଡି  । ଆମେ ଗରିବଙ୍କ ସହ ଅଛୁ । ଓଡ଼ିଶା ଗସ୍ତରେ ଆସି କଂଗ୍ରେସର ଓଡ଼ିଶା ବଞ୍ଚାଅ ସମାବେଶରେ ଯୋଗଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଉପରେ ବର୍ଷିଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ । କଂଗ୍ରେସ ପାଇଁ ଓଡ଼ିଶାର ଗୁରୁତ୍ୱ ଯଥେଷ୍ଟ ଅଧିକ ଥିଲା । ପଣ୍ଡିତ ନେହେରୁଙ୍କ ନଜରରେ ଓଡ଼ିଶାର ସ୍ୱତନ୍ତ୍ର ସ୍ଥାନ ଥିଲା । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଓ ଭାରତର ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଭଲ ବନ୍ଧୁ ଥିଲେ । ସେତେବେଳେ ଓଡ଼ିଶାରେ ଅନେକ କାମ ହୋଇଛି । କିନ୍ତୁ ଏବେର ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ବିଜେପି ନୀତି ଆଦର୍ଶର ହୋଇଗଲେଣି । ଏପରି କହି ବିଜେଡି ଉପରେ ଟାର୍ଗେଟ କରିଛନ୍ତି ଖଡ଼ଗେ ।

କେନ୍ଦ୍ର ସରକାରକୁ ଟାର୍ଗେଟ କରି ଖଡ଼ଗେ କହିଛନ୍ତି ଯେ କେନ୍ଦ୍ର ସରକାରରେ ଲୋକତନ୍ତ୍ର କଳଙ୍କିତ ହେଉଛି । ସମ୍ବିଧାନକୁ ଭାରତୀୟ ଜନତା ପାର୍ଟି ଅସମ୍ମାନ କରୁଛି । ବିଜେପିକୁ ହଟାଇ ସମ୍ବିଧାନ ବଞ୍ଚାଇବାକୁ ଆହ୍ବାନ ଦେଇଥିଲେ କଂଗ୍ରେସ ଅଧ୍ଯକ୍ଷ । ସେ କହିଥିଲେ, ଏହା ହେଉଛି ଶେଷ ନିର୍ବାଚନ । ଯଦି କେନ୍ଦ୍ରରୁ ବିଜେପି ସରକାର ନହଟିବ ତେବେ ଦେଶରେ ଗଣତନ୍ତ୍ର ଶାସନ ନୁହେଁ, ରାଜତନ୍ତ୍ର ଶାସନ ଚାଲିବ ।

ସେହିପରି ବିଜେପି ଏକ ବିଷ ବୋଲି କଟାକ୍ଷ କରି ଅଧିକାର ବଞ୍ଚାଇବାକୁ ଏହାଠୁ ଦୂରେଇ ରହିବାକୁ ସେ ପରାମର୍ଶ ଦେଇଥିଲେ । ମଣିପୁର ଓ ନାଗାଲାଣ୍ଡ ପ୍ରସଙ୍ଗରେ କଡ଼ା ଭାଷାରେ ବିଜେପିକୁ ସମାଲୋଚନା କରି ଖଡ଼ଗେ କହିଥିଲେ, ମଣିପୁରରେ ହଜାରେରୁ ଅଧିକ ଲୋକଙ୍କର ମୃତ୍ୟୁ ହେଲାଣି, ମହିଳାଙ୍କୁ ନିର୍ଯାତନା ଦିଆଯାଉଛି । ହଜାର ହଜାର ଘର ଓ ଗାଡ଼ି ଜଳୁଛି । ହେଲେ ଏହି ପ୍ରସଙ୍ଗରେ ବିଜେପି ମୁହଁ ଖୋଲୁନି । ମଣିପୁରବାସୀଙ୍କ ପାଇଁ କଣ କରିଛନ୍ତି ବୋଲି ପାଟି ଫିଟୁନି । ସେହିପରି ବର୍ଷକୁ ୨ କୋଟି ଚାକିରି ଦେବାକୁ କହି ଦେଶବାସୀଙ୍କୁ ବିଜେପି ସରକାର ଭଣ୍ଡାଇଦେଇଛି । ଏବେ ଗ୍ୟାରେଣ୍ଟି ନାଁରେ ମିଛ ପ୍ରଚାର ଚଳାଇଛନ୍ତି । କଳାଧନ ଦେଶକୁ ଫେରିବ ବୋଲି ବିଜେପି ଦେଇଥିବା ପ୍ରତିଶ୍ରୁତି କୁଆଡେ ଗଲା ଏବଂ  କେବେ ୧୫ ଲକ୍ଷ ଟଙ୍କା ଲୋକଙ୍କ ଆକାଉଣ୍ଟକୁ ଆସିବ ବୋଲି ପ୍ରଶ୍ନ କରି କେନ୍ଦ୍ର ସରକାରକୁ ସମାଲୋଚନା କରିଛନ୍ତି ଖଡଗେ ।