ରତ୍ନ ସିଂହାସନକୁ ଫେରିଲେ ମହାପ୍ରଭୁ
ପୁରୀ: ଶ୍ରୀବିଗ୍ରହମାନେ ରତ୍ନସିଂହାସନକୁ ଫେରିଛନ୍ତି । ଅଧିଷ୍ଠିତ ହେବା ପୂର୍ବରୁ ସିଂହାସନ ମାର୍ଜନା କରାଯାଇଥିଲା । ଚନ୍ଦନ, କର୍ପୂର, ଚୁଆ, କେଶର ଆଦି ସୁଗନ୍ଧିତ ଦ୍ରବ୍ୟରେ ରତ୍ନସିଂହାସନ ମାର୍ଜନା ହେବା ପରେ ଠାକୁରଙ୍କ ପହଣ୍ଡି ଆରମ୍ଭ ପୂର୍ବରୁ ରତ୍ନବେଦି ମାର୍ଜନା କରାଯିବାର ପରମ୍ପରା ରହିଛି । ନୀଳାଦ୍ରି ବିଜେରେ ନୀଳଚକ୍ରରେ ବାନା ବନ୍ଧାଯିବା ସହ ରତ୍ନସିଂହାସନ ଉପରେ କନକମୁଣ୍ଡି ଚାନ୍ଦୁଆ ବନ୍ଧା ଯାଇଥାଏ । ଶ୍ରୀଜଗନ୍ନାଥ ମହାପ୍ରଭୁ ରଥ ସିଂହାସନରୁ ଓହ୍ଲାଇ ରଥ ଗୁମୁଟରେ ପହଞ୍ଚିଥିଲେ । ସେହି ସମୟରେ ସିଂହଦ୍ୱାର ପାଶ୍ୱର୍ସ୍ଥ ଭେଟମଣ୍ଡପରେ ଲକ୍ଷ୍ମୀ ଠାକୁରାଣୀ ବିଜେ ହୋଇଥିଲେ । ସେହିଠାରେ ଉଭୟେ ପରସ୍ପରକୁ ଦେଖି କରିଥିଲେ। ରଥ ଉପରେ ମହାପ୍ରଭୁଙ୍କୁ ଓ ଭେଟ ମଣ୍ଡପରେ ମା’ ଲକ୍ଷ୍ମୀ ଠାକୁରାଣୀଙ୍କୁ ଏକତ୍ର ବନ୍ଦାପନା ଓ ଆଳତି କରାଯାଇଥିଲା ।
ମହାପ୍ରଭୁ ସିଂହଦ୍ୱାର ନିକଟରେ ବିଜେ ହେବାପରେ କିଛି କ୍ଷଣ ପାଇଁ ଭିତରୁ ଦ୍ୱାର ବନ୍ଦ ହୋଇଯାଇଥିଲା । ଠାକୁରାଣୀଙ୍କ ଅନୁମତି ପାଇ ଦ୍ୱାର ଖୋଲିବା ପରେ ମହାପ୍ରଭୁ ଜୟବିଜୟ ଦ୍ୱାର ନିକଟରେ ବିଜେ ହୋଇଥିଲେ । ସେଠାରେ ମହାପ୍ରଭୁଙ୍କ ବାଟ ଓଗାଳିଥିଲେ ମାଲକ୍ଷ୍ମୀ ଠାକୁରାଣୀ । ଭିତରଚ୍ଛ ମହାପାତ୍ରଙ୍କ ନିଜସ୍ୱ ଗୃହରେ ଶୁଦ୍ଧପୂତଭାବେ ତିଆରି ହୋଇଥିବା ରସଗୋଲାକୁ ମହାପ୍ରଭୁ ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ଭେଟି ଦେଇଥିଲେ । ମହାପ୍ରଭୁ ଲକ୍ଷ୍ମୀଦେବୀଙ୍କୁ ରସଗୋଲା ଦେଇ ତାଙ୍କର ମନ ଜିଣିଥିଲେ । ଏହାପରେ ଘସା, ବିଡ଼ିଆ ମଣୋହି ନୀତି ହୋଇ ମହାପ୍ରଭୁ ରତ୍ନସିଂହାସନକୁ ବିଜେ କରିଥିଲେ । ଦଇତାପତିମାନେ ସିଂହାସନରେ ଠାକୁରମାନଙ୍କର ରୁନ୍ଧାକାର୍ଯ୍ୟ ସାରିଥିଲେ । ବର୍ଷକେ ଏହି ଗୋଟିଏ ଦିନ ଶ୍ରୀମନ୍ଦିରରେ ରସଗୋଲା ଭୋଗ ଲଗାଯିବାର ବିଧି ରହିଛି ।