ଜାଗର ଯାତ୍ରା ପାଇଁ ଚଳଚଞ୍ଚଳ ରାଜ୍ୟର ବିଭିନ୍ନ ଶୈବପୀଠ

ଆସନ୍ତାକାଲି ମହାଶିବରାତ୍ରୀ । ଜାଗର ଯାତ୍ରା ପାଇଁ ଚଳଚଞ୍ଚଳ ରାଜ୍ୟର ବିଭିନ୍ନ ଶୈବପୀଠ । ମହାଶିବରାତ୍ରି ପାଇଁ ଶ୍ରୀଲିଙ୍ଗରାଜ ମନ୍ଦିର ଓ ଆଖପାଖ ଅଞ୍ଚଳକୁ ସଜାଇବାକୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ସିଂହଦ୍ବାରକୁ ଅଧିକ ଆକର୍ଷଣୀୟ କରିବାକୁ ବଡ଼ ଯୋଜନା କରାଯାଇଛି। ମନ୍ଦିର ରଙ୍ଗ କାମ ସରିଛି । ସିଂହଦ୍ବାରକୁ ଫୁଲରେ ସଜେଇ ଦିଆଯିବ । ଏଥର ପଡ଼ୋଶୀ ରାଜ୍ୟର ଫୁଲରେ ସିଂହଦ୍ବାରକୁ ସଜେଇ ଆକର୍ଷଣୀୟ କରାଯିବ । ପ୍ରତିବର୍ଷ ଭଳି ଏଥର ମଧ୍ୟ ଭୁବନେଶ୍ବର ଫ୍ଲୋରିଷ୍ଟ୍ ଆସୋସିଏସନ୍ ପକ୍ଷରୁ ସିଂହଦ୍ବାରକୁ ସଜେଇ ଦିଆଯିବ ବୋଲି ସଂଘର ସଭ୍ୟ ମିତେନ୍ଦ୍ର ସମର୍ଥା କହିଛନ୍ତି । ଏଏସ୍‌ଆଇ ପକ୍ଷରୁ ସିଂହଦ୍ବାର ପିତଳ କବାଟକୁ ସଫା କରାଯାଇଛି ଏବଂ ମନ୍ଦିରର ପ୍ରବେଶ ପଥ ଗୁମୁଟକୁ ରଙ୍ଗ କରାଯାଇଛି । ସେହିପରି ମନ୍ଦିର ଗର୍ଭଗୃହକୁ ରଙ୍ଗ କରାଯିବା ସହ ସେଠ‌ାରେ ସୁନ୍ଦର ଚାନ୍ଦୁଆ ବନ୍ଧାଯାଇଛି ।
ସେହିପରି ଏଏସ୍ଆଇ ପକ୍ଷରୁ ବାଇଶି ପାହାଚ ନିକଟରୁ ସିଂହଦ୍ବାର ପର୍ଯ୍ୟନ୍ତ ବ୍ୟାରିକେଡ୍ ବନ୍ଧାଯାଇଛି । ଏଣେ ମନ୍ଦିର ସମ୍ମୁଖ ରାସ୍ତାରୁ ଗଙ୍ଗା ଯମୁନା ଛକ ପର୍ଯ୍ୟନ୍ତ ଛାମୁଣ୍ଡିଆ କରାଯାଇଛି । ଟାଣ ଖରାରୁ ଶ୍ରଦ୍ଧାଳୁମାନଙ୍କୁ ସୁରକ୍ଷା ଦେବାକୁ ଏହି ଛାମୁଣ୍ଡିଆ କରାଯାଇଛି । ମନ୍ଦିର ସମ୍ମୁଖସ୍ଥ ଫାଇବର୍‌ ସେଡ୍‌କୁ ସଫା କରାଯିବା ସହ ଭକ୍ତ ଓ ଶ୍ରଦ୍ଧାଳୁମାନେ ସୁବିଧାରେ ଧାଡ଼ିରେ ଯିବା ପାଇଁ ବାଉଁଶ ବନ୍ଧା ଯାଇଛି । ଏଣେ ବିଏମ୍‌ସି ପକ୍ଷରୁ ମଧ୍ୟ ସଫେଇ କରାଯାଉଛି । ବିଏମ୍‌ସି ଠିକା ସଂସ୍ଥା ମନ୍ଦିରକୁ ସଂଯୋଗ ସବୁ ରାସ୍ତା, ସବୁ ଛୋଟ ମନ୍ଦିର ପରିସରରେ ସଫେଇ କରୁଛି । ଏପରିକି ଠିକାଦାର କାମ ପାଇଁ ଗଦା କରି ରଖିଥିବା ବାଲି, ମାଟି ଆଦିକୁ ଉଠାଇନେଉଛନ୍ତି ।