ରାଜଧାନୀ ଛାତିରେ ପୂଜା ପୂର୍ବରୁ ଉତ୍ପାତ କରୁଛନ୍ତି ଲୁଟେରା ଗ୍ୟାଙ୍ଗ୍
ରାଜଧାନୀ ଛାତିରେ ପୂଜା ପୂର୍ବରୁ ଉତ୍ପାତ କରୁଛନ୍ତି ଲୁଟେରା ଗ୍ୟାଙ୍ଗ୍ । ଏକ ଦମ୍ପତି ବୁଧବାର ସନ୍ଧ୍ୟାରେ ସପିଙ୍ଗ୍ ସାରି ଗାଡ଼ିଟିକୁ ପାର୍କିଂରେ ରଖି ପୂଜା ଦେଖିବାକୁ ଯାଇଥିଲେ । ଠିକ ଏତିକି ବେଳେ, ବାଟୁଳି ଗ୍ୟାଙ୍ଗ ଗାଡିର କାଚ ଭାଙ୍ଗି ସବୁକିଛି ପୋଛି ନେଇଛି ବାଟୁଳି ଗ୍ୟାଙ୍ଗ । ଆଶ୍ଚର୍ଯ୍ୟକର କଥା ହେଉଛି ଏହି ଲୁଟ୍ ଖରବେଳନଗର ଥାନା ଠାରୁ ମାତ୍ର ଅଳ୍ପ ଦୂରରେ ଘଟିଥିଲା । ଗାଡି ଭିତରେ ଥିବା ଲାପଟପ୍, ସୁନାଗହଣା ଓ ଟଙ୍କା ଲୁଟ ପରେ ମୁଣ୍ଡରେ ହାତ ଦେଇ ବସିଥିଲେ ମାଲିକ । କିନ୍ତୁ ପୁଲିସ ସେପଟେ କହୁଛି ପାର୍ବଣ ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ । ସେପଟେ ଦିନରେ ପ୍ରବଚନ ଦେଇ, ରାତିରେ ଚୂନ ଲଗାଉଥିବା ମୋଷ୍ଟ ୱାଣ୍ଟେଡ ଲୁଟେରାକୁ ଗିରଫ କରିଛି ପୁଲିସ । ଅଭିଯୁକ୍ତର ନାଁ ହେଉଛି ମନୋଜ ସିଂ । ମନୋଜ ନାଁରେ ରହିଛି ୧୦ ରୁ ଅଧିକ ମାମଲା । ନବ ବିବାହିତଙ୍କ ଘରେ ପସି ୨୦ ଲକ୍ଷର ସୁନା ଗହଣା ଓ ଟଙ୍କା ନେଇ ଚମ୍ପଟ ମାରିଥିଲା । ଏହି ଅଭିଯୁକ୍ତ ଲୁଟ୍ ସୁନା ବନ୍ଧକ ରଖି ଟଙ୍କା ଆଣି ଅୟସ କରୁଥିଲା । ବନ୍ଧା ହେବା ପରେ ଭଦ୍ରମୁଖା ପିନ୍ଧା ଏହି ଚୋରର ଅସଲ ମୁଖା ଖୋଲି ଯାଇଛି ।
ଏବେଠୁ ଅପରାଧ ଉପରମୁହାଁ । ଆଗକୁ ପାର୍ବଣ, ଦୁର୍ଗାପୂଜା ଆସିଲେ, ଟ୍ୱିନସିଟିର ପୂଜା ମଣ୍ଡପ ଉପରେ ଥାଏ ବାହାର ରାଜ୍ୟର ଅପରାଧୀଙ୍କ ନଜର । ଏଣେ ଏକୁଟିଆ ଘର ଛାଡ଼ି କି ଗଲେ ସିନ୍ଧି ଚୋରଙ୍କ ବିପଦ । ସେପଟେ ମଣ୍ଡପ ବୁଲିବାକୁ ଗଲେ ସୁନା ଝାମ୍ପି ନେବାର ଭୟ ଏବେବି ଲୋକଙ୍କ ମନରେ ରହିଛି । ତେବେ ପାର୍ବଣକୁ କେମିତି ଶାନ୍ତି ଶୃଙ୍ଖଳା ସହ ସାରିବ କମିଶନରେଟ୍ ପୁଲିସ ପାଇଁ ବଡ ଚ୍ୟାଲେଞ୍ଜ ହୋଇଛି ।