ପୁଣି କୋଟିଆରେ ଓଡ଼ିଶାର ବାଟ ଓଗାଳିଲା ଆନ୍ଧ୍ର
ପୁଣି କୋଟିଆରେ ଓଡ଼ିଶାର ବାଟ ଓଗାଳିଲା ଆନ୍ଧ୍ର । କୋଟିଆରେ ହେବାକୁ ଥିବା ଜଳବିଦ୍ୟୁତ ପ୍ରକଳ୍ପ ପାଇଁ କ୍ଷେତ୍ର ପରିଦର୍ଶନ ବେଳେ ଓଡ଼ିଶା ଟିମକୁ ଅଟକାଇଲେ ଆନ୍ଧ୍ରପ୍ରଦେଶ ସାଲୁରର ସିଆଇ । ଗତକାଲି ଘଟିଛି ଏହି ଘଟଣା । କୋଟିଆର ଯେଉଁ ସ୍ଥାନରେ ଆନ୍ଧ୍ର ୧୨୦୦ ମେଗାଓ୍ୱାଟର ଜଳ ବିଦ୍ୟୁତ ପ୍ରକଳ୍ପ ପାଇଁ ପରିବେଶ ମଂଜୁରୀ ମାଗିଛି, ସେହି ସ୍ଥାନରେ ଓଡ଼ିଶା ମଧ୍ୟ ୨୨୦୦ ମେଗାଓ୍ୱାଟର ଜଳବିଦ୍ୟୁତ ପ୍ରକଳ୍ପ କରିବାକୁ ଯୋଜନା କରିଛି ।
ଏହି ପ୍ରକଳ୍ପ ପାଇଁ ଓଏଚପିସି, ପ୍ରକଳ୍ପ କରିବାକୁ ଥିବା ଆଦାନୀ ଗ୍ରୁପ ଓ ସ୍ଥାନୀୟ ପ୍ରଶାସନର ଏକ ମିଳିତ ଟିମ୍ ଗତକାଲି ନାରେଡିବାଲସା ଓ ତାଡିବାଲସା, ଆରଜୁ ବାଲସା ଅଞ୍ଚଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛି । ତେବେ ନାରେଡିବାଲସାରେ ସେମାନଙ୍କୁ ଆନ୍ଧ୍ରପ୍ରଦେଶର ସାଲୁର ସିଆଇ ଅଟକାଇଥିଲେ । ତାଙ୍କୁ ଏଡ଼ାଇ ଓଡ଼ିଶାର ଟିମ୍ ଆଗକୁ ଯାଉଥିବା ବେଳେ କିଛି ସମୟ ପାଇଁ ମୁହାଁମୁହିଁ ପରିସ୍ଥିତି ଦେଖାଯାଇଥିଲା । ଓଡ଼ିଶା ଟିମ୍ ପ୍ରକଳ୍ପ ପାଇଁ ସ୍ଥିତି ଅନୁଧ୍ୟାନ କରୁଥିବା ବେଳେ ଅନ୍ୟପକ୍ଷରେ ସାଲୁର ସିଆଇ ସେଠାରେ ଆନ୍ଧ୍ର ସରକାରଙ୍କ ସ୍ପନ୍ଦନ କାର୍ଯ୍ୟକ୍ରମ ଚଳାଇଥିଲେ । ସେପଟେ ପରେ ଓଡ଼ିଶା ଟିମ୍ କୋରାପୁଟ ଜିଲ୍ଲାପାଳଙ୍କୁ ମଧ୍ୟ ଭେଟିଥିବା ଜଣାପଡିଛି ।