କୋଣାର୍କ ଉତ୍ସବ ଆରମ୍ଭ
କୋଣାର୍କ : ସୂର୍ଯ୍ୟ ମନ୍ଦିରର ପାଦଦେଶରେ ମୁକ୍ତାକାଶ ରଙ୍ଗମଞ୍ଚରେ ଗୁରୁବାର ଠାରୁ କୋଣାର୍କ ଉତ୍ସବ ଉଦ୍ଘାଟିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲରେ ନିଜର ବାର୍ତ୍ତା ଦେବା ସହ ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଦେଶ ବିଦେଶର ପର୍ଯ୍ୟଟକମାନେ ଏହି କଳାକ୍ଷେତ୍ରକୁ ଆସି ଉତ୍ସବକୁ ମନଭରି ଉପଭୋଗ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସେହିପରି ଚନ୍ଦ୍ରଭାଗାଠାରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବକୁ ଉଦ୍ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ମୁକ୍ତାକାଶ ରଙ୍ଗମଞ୍ଚରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର, ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା, ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷ ଲେନିନ ମହାନ୍ତି, ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ, ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, କୋଣାର୍କ ପୌରାଧ୍ୟକ୍ଷା ସଂଯୁକ୍ତା ତ୍ରିପାଠୀ ଏବଂ ସାଂସଦ ରାଜଶ୍ରୀ ମଲ୍ଲିକ ପ୍ରମୁଖ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆରମ୍ଭ କରିଥିଲେ। ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ମାଲେସିଆର ସୁତ୍ର ଫାଉଣ୍ଡେସନର ରାମିଲ ଇବ୍ରାହିମ ଓ ସାଥୀ କଳାକାର ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ପ୍ରଥମ ଚରଣରେ ପରିବେଷଣ କରିଥିଲେ ଜୟରାମ। ରାମାୟଣର କଥାବସ୍ତୁକୁ ନେଇ ଶ୍ରୀରାମ ଧ୍ୟାନ, ରାମଲୀଳା, ସୀତା ସ୍ୱୟଂମ୍ବରର ସୁନ୍ଦର ଅବତାରଣା କରିଥିଲେ।