ମନ ମୋହୁଛି କୋଣାର୍କ ଉତ୍ସବ

ମନ ମୋହୁଛି କୋଣାର୍କ ଉତ୍ସବ । କୋଣାର୍କ ଉତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ମଣିପୁରୀ ଓ ଓଡ଼ିଶୀ ନୃତ୍ୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ଶାସ୍ତ୍ରୀୟ ନୃତ୍ୟ ଓ ସଂଗୀତ କାର୍ଯ୍ୟକ୍ରମର ପ୍ରଥମ ଚରଣରେ ଜବାହରଲାଲ ନେହେରୁ ନୃତ୍ୟ ଏକାଡେମୀ ଇମ୍ଫାଲର ଏଲ ଉପେନ୍ଦ୍ର ଶର୍ମା ଓ ସାଥୀ କଳାକାରମାନେ ମଣିପୁରୀ ନୃତ୍ୟ ପରିବେଷଣ କରିଥିଲେ ।

ରାଧାକୃଷ୍ଣ ଓ ଗୋପବାଳୀଙ୍କ ରାସର ପୃଷ୍ଠଭୂମିରେ ମଣୀପୁର ଶାସ୍ତ୍ରୀୟ ନୃତ୍ୟ ପ୍ରଦର୍ଶନ କରି ସେମାନେ ଦର୍ଶକଙ୍କୁ ବିଭୋର କରିଥିଲେ ।ଦ୍ୱିତୀୟ ଚରଣରେ କଟକର ମୀରା ଦାସ ଓ ସାଥୀ କଳାକାର ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ । ଆଦି ଦେବ ସୂର୍ଯ୍ୟଙ୍କ ଉପାସନା ସହ ଶେଷରେ ନାରୀ ଜୀବନର ତ୍ୟାଗପୁତ ଗାଥା ଦର୍ଶକଙ୍କୁ ବିଭୋର କରିଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଅଧ୍ୟାପକ ଡ. ମୃତ୍ୟୁଞ୍ଜୟ ରଥ ଓ ନାଜିଆ ଆଲମ । ସନ୍ଧ୍ୟାକୁ ନେପାଳ ରାଷ୍ଟ୍ରଦୂତ ଶଙ୍କର ପ୍ରସାଦ ଶର୍ମା, ଉଚ୍ଚ ନ୍ୟାୟାଳୟର ବିଚାରପତି ଯଶୋବନ୍ତ ସିଂହ, ଡିଜିପି ସୁନୀଲ କୁମାର ବଂଶଲ, ପୁରୀ ଏସପି କେ. ବିଶାଲ ସିଂ, ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦ୍‌ଘାଟନ କରିଥିଲେ ।