ଲୁହରେ ଭିଜିଲା ସହିଦ ଦେବାଶିଷ ବିଶ୍ବାଳଙ୍କ ଗାଁ: ପଚିଶ ଲକ୍ଷର ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ସାକ୍ଷୀଗୋପାଳ : ଲୁହରେ ଭିଜିଛି ସହିଦ ଦେବାଶିଷ ବିଶ୍ୱାଳଙ୍କ ଗାଁ । ପିଲାଠୁ ବୁଢ଼ା ସମସ୍ତଙ୍କ ଆଖିରେ ଲୁହ । ଖବର ପହଁଚିବା ପରେ ସହିଦଙ୍କ ଘରେ କାନ୍ଦ ବୋବାଳି ବନ୍ଦ ହେଉନାହିଁ । ବନ୍ଧୁ ପରିଜନ, ରାଜନେତାଙ୍କ ଗହଳି ଛୁଟିଛି । କିନ୍ତୁ ନିଜ ପୁଅକୁ ହରାଇ ପରିବାର , ଗାଁ ଏବେ ଝୁରୁଛି । ଗତକାଲି ଜମ୍ମୁ କାଶ୍ମୀରର ପୁଞ୍ଚରେ ଆତଙ୍କବାଦୀଙ୍କ ଗ୍ରେନେଡ୍ ମାଡ଼ରେ ୫ ଜଣ ଯବାନ ସହିଦ ହୋଇଥିଲେ। ନିହତ ଯବାନଙ୍କ ମଧ୍ୟରେ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଥାନା ଅନ୍ତର୍ଗତ ଅଳଗୁମ ଖଣ୍ଢାୟତସାହିର ଦେବାଶିଷ ବିଶ୍ବାଳ ଥିଲେ।

 

ଦେବାଶିଷ ପ୍ରାୟ ୧୦ ବର୍ଷ ତଳେ ସେନାରେ ଭର୍ତ୍ତି ହୋଇଥିଲେ। ୨୦୨୨ ମସିହା ମେ ମାସ ୪ ତାରିଖରେ ତାଙ୍କର ସୁଶ୍ରୀସଙ୍ଗୀତା ବିଶ୍ବାଳଙ୍କ ସହ ବିବାହ ହୋଇଥିଲା ଓ ସେମାନଙ୍କର ଏକ ଛୋଟ ଝିଅ ଅଛି। ଜାମ୍ମୁ କାଶ୍ମୀରର ପୁଞ୍ଚରେ ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ହୋଇଥିବା ଓଡ଼ିଆ ଯବନ ଦେବାଶିଷ ବିଶ୍ବାଳଙ୍କ ଅମ୍ଲାନ ସ୍ମୃତି ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ସହିଦ୍ ଦେବାଶିଷ ବିଶ୍ଵାଳଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପଚିଶ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି।