ଆଜି ଆଧୁନିକ ଓଡ଼ିଶାର ନିର୍ମାତା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ

ଆଜି ଆଧୁନିକ ଓଡ଼ିଶାର ନିର୍ମାତା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ । ଜାନକୀ ବଲ୍ଲଭ ଜନ୍ମ ଶତବାର୍ଷିକୀ କମିଟି ପକ୍ଷରୁ ବର୍ଷବ୍ୟାପୀ ଜନ୍ମ ଶତବାର୍ଷିକୀ ପାଳନ କରାଯିବ । ଆଜି ଦିନ ୧୧ଟାରେ ଭୁବନେଶ୍ବର କ୍ୟାପିଟାଲ ହାଇସ୍କୁଲ ପଡିଆରେ ସମାରୋହ ଉଦଘାଟିତ ହେବ । ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସମେତ ବିଭିନ୍ନ ରାଜନୈତିକ ବରିଷ୍ଠ ନେତା ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ଆଜିଠୁ ୨୦୨୭ ଜାନୁଆରୀ ୩ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ କାର୍ଯ୍ୟକ୍ରମ । ୧୯୨୭ ମସିହା ଜାନୁଆରୀ ୩ରେ ଖୋର୍ଦ୍ଧା ନିକଟସ୍ଥ ରାମେଶ୍ୱରରେ ଜନ୍ମଗ୍ରହଣ କରିଥିଲେ ଜାନକୀ ବଲ୍ଲଭ ପଟ୍ଟନାୟକ । ୧୯୪୭ରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସଂସ୍କୃତରେ ସ୍ନାତକ ଏବଂ ୧୯୪୯ରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ । ଶିକ୍ଷା ସମାପ୍ତ ହେବା ପରେ ରାଜନୀତିରେ ପ୍ରବେଶ କରିଥିଲେ ଜାନକୀ ବଲ୍ଲଭ ପଟ୍ଟନାୟକ । ରାଜ୍ୟରେ ରାଜନୈତିକ କାର୍ଯ୍ୟକଳାପର କେନ୍ଦ୍ରବିନ୍ଦୁ ଥିଲେ । ଓଡ଼ିଶାର ୩ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ ଜାନକୀ । ୧୯୮୦ ଦଶକରେ ଜେ.ବି. ପଟ୍ଟନାୟକ ଯେତେବେଳେ ମୁଖ୍ୟମନ୍ତ୍ରୀ ହେଲେ, ସେ “ହଜାରେ ଦିନରେ ହଜାରେ ଶିଳ୍ପ” ର ସ୍ଲୋଗାନ ଦେଇଥିଲେ । ଜେ.ବି. ପଟ୍ଟନାୟକ କେବଳ ଜଣେ ରାଜନେତା ନଥିଲେ, ସେ ଜଣେ ବିଶିଷ୍ଟ ସଂସ୍କୃତ ବିଦ୍ୱାନ ମଧ୍ୟ ଥିଲେ । ସେ ତିରୁପତିସ୍ଥିତ ରାଷ୍ଟ୍ରୀୟ ସଂସ୍କୃତ ବିଦ୍ୟାପୀଠର କୁଳାଧିପତି ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ୨୦୦୯ ରେ କେନ୍ଦ୍ର ସରକାର ଜାନକୀବଲ୍ଲଭଙ୍କୁ ଆସାମର ରାଜ୍ୟପାଳ ଭାବେ ନିଯୁକ୍ତ କରିଥିଲେ । ସେ ଆସାମର ରାଜ୍ୟପାଳ ଭାବେ ମଧ୍ୟ ବହୁତ ଲୋକପ୍ରିୟ ଥିଲେ । ତେଣୁ ଗୁଆହାଟୀରେ ମଧ୍ୟ ଏକ ସ୍ୱତନ୍ତ୍ର ସ୍ମୃତି ସଭା ପାଇଁ ପ୍ରସ୍ତୁତି ଚାଲିଛି ।

Leave a comment