ଆଜି ଅନ୍ତର୍ଜାତୀୟ ମହିଳା ଦିବସ । ସାରା ବିଶ୍ବରେ ପାଳିତ ହେଉଛି । ଏହି ଅବସରରେ କଳିଙ୍ଗ ଟିଭି ପରିବାର ତରଫରୁ ପ୍ରତ୍ୟେକ ମହିଳାଙ୍କୁ ଆମର ଅନେକ ଅନେକ ଶୁଭେଚ୍ଛା । ବିଶ୍ବସ୍ତରରେ ମହିଳାଙ୍କ ସଶକ୍ତିକରଣ ପାଇଁ ଦୁଇଟି ବଡ଼ ଅଭିଯାନ ଆରମ୍ଭ କରାଯାଉଛି । ଚଳିତ ବର୍ଷ ଦୁଇଟି ଭିନ୍ନ କିନ୍ତୁ ଗୁରୁତ୍ୱପୂର୍ଣ୍ଣ ‘ଥିମ୍’ ଚୟନ କରାଯାଇଛି । ବିଶ୍ୱର ବିଭିନ୍ନ ସଂସ୍ଥା ଓ ଜାତିସଂଘ ନିଜ ନିଜର ଲକ୍ଷ୍ୟ ଅନୁଯାୟୀ ଏହି ଦିବସକୁ ପାଳନ କରୁଛନ୍ତି । ମୁଖ୍ୟ ଅଭିଯାନ ଭାବରେ ଥିମ୍ ରହିଛି ‘ଗିଭ୍ ଟୁ ଗେନ୍’ ଅର୍ଥାତ୍ ‘ଉନ୍ନତି ପାଇଁ ସହଯୋଗ କରନ୍ତୁ’ ।
ଏହାର ଉଦ୍ଦେଶ୍ୟ, ମହିଳାମାନଙ୍କୁ କେବଳ ସାହାଯ୍ୟ କରିବା ନୁହେଁ, ବରଂ ସେମାନଙ୍କ ଉପରେ ନିବେଶ କରିବା । ଯଦି ଆମେ ମହିଳାଙ୍କୁ ସମୟ, ଶିକ୍ଷା, ପରାମର୍ଶ ଏବଂ ସମ୍ବଳ ଯୋଗାଇ ଦେବା, ତେବେ ଏହା କୌଣସି କ୍ଷତି ନୁହେଁ, ବରଂ ଏଥିରେ ସମାଜର ଲାଭ ହେବ। ଯେତେବେଳେ ଜଣେ ମହିଳା ସଫଳ ହୁଅନ୍ତି, ସେ ନିଜ ସହ ପରିବାର ଓ ପୂରା ସମାଜକୁ ଆଗକୁ ନେଇଥାନ୍ତି। ତେଣୁ ମହିଳାଙ୍କୁ ସହଯୋଗ କରିବା ଅର୍ଥ ହେଉଛି ସମାଜର ମୂଳଦୁଆକୁ ମଜବୁତ କରିବା ।
ସେହିପରି ଜାତିସଂଘର ଆହ୍ୱାନ ହେଉଛି “ନ୍ୟାୟ ଓ ଅଧିକାର” । ସମସ୍ତ ମହିଳା ଓ ବାଳିକାଙ୍କ ପାଇଁ ଅଧିକାର, ନ୍ୟାୟ ଓ କାର୍ଯ୍ୟାନୁଷ୍ଠାନ। ଆଜିର ସମାଜରେ ଅନେକ ସ୍ଥାନରେ ମହିଳାଙ୍କ ଅଧିକାର ଉପରେ ଆକ୍ରମଣ ହେଉଛି। ଜାତିସଂଘ ଚାହୁଁଛି ଯେ ମହିଳାମାନେ କେବଳ ଖାତା କି କଲମରେ ନୁହେଁ, ବରଂ ପ୍ରକୃତ ଜୀବନରେ ମଧ୍ୟ ନ୍ୟାୟ ପାଆନ୍ତୁ। ସମାଜରୁ କୁସଂସ୍କାର ଦୂର କରିବା, କଠୋର ଆଇନ ପ୍ରଣୟନ କରିବା ଏବଂ ମହିଳାଙ୍କୁ ସୁରକ୍ଷିତ ରଖିବା ପାଇଁ ପଦକ୍ଷେପ ନେବା ହେଉଛି ଏହି ଅଭିଯାନର ଲକ୍ଷ୍ୟ । ଅନ୍ୟପକ୍ଷରେ ସାରା ବିଶ୍ବରେ ସେମିନାର, ପ୍ୟାନେଲ୍ ଚର୍ଚ୍ଚା ଏବଂ ସାମାଜିକ କାର୍ଯ୍ୟକ୍ରମ ମାଧ୍ୟମରେ ମହିଳାଙ୍କ ସଫଳତାକୁ ସମ୍ମାନ ଦିଆଯାଉଛି। ଏହାର ମୂଳ ଲକ୍ଷ୍ୟ ହେଉଛି ମହିଳା ଓ ପୁରୁଷଙ୍କ ମଧ୍ୟରେ ଥିବା ପ୍ରଭେଦକୁ ଶେଷ କରିବା ।