ମାଓ ନେତା ପାପା ରାଓଙ୍କ ଆତ୍ମସମର୍ପଣ
ମାଓ ନେତା ପାପା ରାଓଙ୍କ ଆତ୍ମସମର୍ପଣ । ବସ୍ତର ଅଞ୍ଚଳରେ ଶାନ୍ତି ପ୍ରକ୍ରିୟା ପାଇଁ ବଡ଼ ପଦକ୍ଷେପ । ଜଗଦଲପୁରରେ ଆନୁଷ୍ଠାନିକ ଭାବେ ହେବ ଅସ୍ତ୍ର ସମର୍ପଣ। ଆତ୍ମସମର୍ପଣ ପରେ ବସ୍ତର ଅଞ୍ଚଳରେ ମାଓବାଦୀଙ୍କ ସଂଗଠିତ ଶକ୍ତି ହ୍ରାସ ପାଇବା ନେଇ ଆଶା କରାଯାଉଛି । ବସ୍ତର ଅଞ୍ଚଳର ଜଣେ ବରିଷ୍ଠ ମାଓବାଦୀ ନେତା ପାପା ରାଓ ଓରଫ ସୁନାମ ଚନ୍ଦ୍ରାୟା ନିଜର ସହଯୋଗୀଙ୍କ ସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଯାଉଛନ୍ତି । ଜଗଦଲପୁରଠାରେ ସେ ପ୍ରଶାସନ ନିକଟରେ ଆନୁଷ୍ଠାନିକ ଭାବେ ଆତ୍ମସମର୍ପଣ କରିବେ । କେନ୍ଦ୍ର ସରକାରଙ୍କ ମାଓ-ମୁକ୍ତ ଅଭିଯାନର ସମୟସୀମା ପୂର୍ବରୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ।
ପାପା ରାଓ ମାଓ ସଙ୍ଗଠନର ଷ୍ଟେଟ୍ ଜୋନାଲ କମିଟି ସଦସ୍ୟ ଥିଲେ । ତାଙ୍କ ନାମରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ହୋଇଥିଲା। ସେ ଦୀର୍ଘ ଦୁଇ ଦଶନ୍ଧି ଧରି ବସ୍ତର ଅଞ୍ଚଳରେ ସକ୍ରିୟ ଥିଲେ। ସୁରକ୍ଷା ଏଜେନ୍ସି ସୂଚନା ଅନୁଯାୟୀ, ଗତ କିଛି ବର୍ଷ ମଧ୍ୟରେ ମାଓ ସଙ୍ଗଠନର ଦୁର୍ବଳ ସ୍ଥିତି ଏବଂ ସରକାରଙ୍କ ପୁନର୍ବାସ ନୀତି ଯୋଗୁଁ ସେ ନିଜର ଅସ୍ତ୍ରଶସ୍ତ୍ର ତ୍ୟାଗ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମାଙ୍କ ଉପସ୍ଥିତିରେ ଏହି ଆତ୍ମସମର୍ପଣ ପ୍ରକ୍ରିୟା ଅନୁଷ୍ଠିତ ହେବ । ଏହାପରେ ସେମାନଙ୍କୁ ସରକାରୀ ନିୟମ ଅନୁଯାୟୀ ପୁନର୍ବାସ ସୁବିଧା ଯୋଗାଇ ଦିଆଯିବ ।