ବିଏମସିର ହୋଲ୍ଡିଂ ଟିକସ ବୃଦ୍ଧି ନିଷ୍ପତ୍ତିକୁ ରଦ୍ଦ କଲେ ହାଇକୋର୍ଟ

ରାଜଧାନୀରେ ଘର ମାଲିକ ଆଶ୍ୱସ୍ତ । ବିଏମସିର ହୋଲ୍ଡିଂ ଟିକସ ବୃଦ୍ଧି ନିଷ୍ପତ୍ତିକୁ ରଦ୍ଦ କଲେ ହାଇକୋର୍ଟ । ହୋଲ୍ଡିଂ ଟ୍ୟାକ୍ସ ବୃଦ୍ଧି ନେଇ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯାଇଥିବା ଭୁବନେଶ୍ୱର ମହାନଗର ନିଗମକୁ ଏହାପରେ ହାଇକୋର୍ଟରୁ ଶକ୍ତ ଧକ୍କା ଲାଗିଛି । ହୋଲଡିଂ ଟିକସ ପ୍ରସଙ୍ଗରେ ୨୦୨୧ ଏପ୍ରିଲ ୨୨ରେ ହାଇକୋର୍ଟଙ୍କ ରାୟକୁ ଚାଲେଞ୍ଜ କରି ବିଏମସି ସୁପ୍ରିମକୋର୍ଟରେ ଦାୟର କରିଥିବା ଏସଏଲପି ଗତ ବର୍ଷ ନଭେମ୍ବର ୭ ତାରିଖରେ ଖାରଜ ହୋଇଛି । ଉଭୟ କୋର୍ଟରେ ବିଏମସି ହାରିବା ପରେ ଭୁବନେଶ୍ୱରବାସୀ ଆଶ୍ୱସ୍ତ ହୋଇଛନ୍ତି । ପୂର୍ବରୁ ବିଏମସି ଜୋରଜବରଦସ୍ତ ଅନେକ ଲୋକଙ୍କ ଠାରୁ ବର୍ଦ୍ଧିତ ଦରରେ ହୋଲ୍ଡିଂ ଟ୍ୟାକ୍ସ ଆଦାୟ କରିଥିଲା ।
୨୦୧୦ ମସିହାରେ ବିଏମସି ଏହି ଟିକସ ୧୦ରୁ ୧୫ ଗୁଣ ବଢ଼ାଇ ଦେଇଥିଲା । ଯେଉଁ ଘର ପାଇଁ ୧୭୨ଟଙ୍କା ହୋଲ୍ଡିଂ ଟ୍ୟାକ୍ସ ଦେବାକୁ ପଡ଼ୁଥିଲା ବର୍ଦ୍ଧିତ ଦରରେ ତାହା ୪୪୪ଟଙ୍କା ୪୬ ପିଇସା ହୋଇଥିଲା । ନୂଆ ଦରରେ ଅବ୍ୟବହୃତ ଜମି ପାଇଁ ମଧ୍ୟ ହୋଲ୍ଡିଂ ଟିକସ ଧାର୍ଯ୍ୟ ହୋଇଥିଲା । ଏହାକୁ ନେଇ ପ୍ରବଳ ବିରୋଧ ହୋଇଥିଲା । କିନ୍ତୁ ବିଏମସି ମାମଲା ରୁଜୁ କରିବ ବୋଲି ଧମକ ଦେବାରୁ ୧୦ ହଜାରରୁ ଊର୍ଦ୍ଧ୍ୱ ଲୋକ ବର୍ଦ୍ଧିତ ଦରରେ ହୋଲ୍ଡିଂ ଟିକସ ଦେଇ ଆସୁଥିଲେ । ଏହାକୁ ବିରୋଧ କରି କନଫେଡେରେସନ୍ ଅଫ ସିଟିଜେନ୍ସ ଆସୋସିଏସନ୍ ହାଇକୋର୍ଟରେ ମାମଲା ଦାୟର କରିଥିଲା ।