ଦୁର୍ଗାପୂଜାରେ ଡିଜେ ଓ ବ୍ୟାଣ୍ଡ୍ ଉପରେ ଲାଗିଲା କଟକଣା
ଭୁବନେଶ୍ବର: ଏଥର ପୂଜାରେ ଡିଜେ ଉପରେ ଲାଗିଛି କଟକଣା । କରୋନା ପାଇଁ ଦୀର୍ଘ ୨ ବର୍ଷପରେ ସହରରେ ଧୁମ୍ଧାମ୍ରେ ପାଳନ ହେବାକୁ ଯାଉଛି ଦୁର୍ଗାପୂଜା । ତେବେ ଚଳିତ ବର୍ଷ ସବୁ ପୂଜା ମଣ୍ଡପରେ ଡିଜେ ବ୍ୟାଣ୍ଡ୍ ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ପୂଜା ମଣ୍ଡପରେ ଓ ଭସାଣି ସମୟରେ ଶବ୍ଦ ପ୍ରଦୂଷଣ ପ୍ରତି ସଚେତନ ରହିବାକୁ କମିଶନରେଟ୍ ପୁଲିସ୍ ପକ୍ଷରୁ ଶୁକ୍ରବାର ନିର୍ଦ୍ଦେଶନାମା ଜାରି ହୋଇଛି ।
ପୂଜା ମଣ୍ଡପରେ ଓ ଭସାଣି ଶୋଭାଯାତ୍ରାରେ ସାଉଣ୍ଡ ବକ୍ସରୁ ବାହାରୁଥିବା ଶବ୍ଦର ମାତ୍ରା ୬୫ ଡେସିବଲ୍ ଭିତରେ ରଖିବାକୁ କମିଶନରେଟ୍ ପୁଲିସ୍ ନିର୍ଦ୍ଦେଶ ଦେଇଛି । ତେବେ ଏହାକୁ ପୂଜା ମଣ୍ଡପମାନେ କେତେ ମାନୁଛନ୍ତି ତାହା ଦେଖିବାକୁ ବାକି ରହିଲା ।
ପୂଜା ସମୟରେ ପ୍ରଥମେ ମଣ୍ଡପ ପରିଚାଳକ ଡିସିପି ଅଫିସ୍ରୁ ଅସ୍ଥାୟୀ ମ୍ୟୁଜିକ୍ ଲାଇସେନ୍ସ ଆଣିବେ । ଡିଜେ ଓ ବ୍ୟାଣ୍ଡପାର୍ଟିର ତଥ୍ୟ ଦେବେ । ମଣ୍ଡପରୁ ଯଦି ଅଧିକ ଶବ୍ଦ ଆସିଲା ତେବେ ପୁଲିସ୍ ସାଉଣ୍ଡବକ୍ସକୁ ଜବତ କରି ଡିଜେ-ବ୍ୟାଣ୍ଡପାର୍ଟିର ମାଲିକଙ୍କୁ ଜରିମାନା କରିବ ବୋଲି କହିଛି । ଯଦି ସେହି ଭୁଲ ଦ୍ୱିତୀୟ ଥର ହେବ ତା’ହେଲେ ସମ୍ପୃକ୍ତ ମାଲିକଙ୍କୁ ଗିରଫ କରାଯିବ ବୋଲି ଡିସିପି ସୂଚନା ଦେଇଛନ୍ତି ।