ସମ୍ଭାବ୍ୟ ବାତ୍ୟାକୁ ନେଇ ସରକାର ତତ୍ପର – ସୁରେଶ ପୂଜାରୀ
ସମ୍ଭାବ୍ୟ ବାତ୍ୟାକୁ ନେଇ ସରକାର ତତ୍ପର । ମୁକାବିଲା ପାଇଁ ପୂରା ପ୍ରସ୍ତୁତ ସରକାର । ରାଜୀବ ଭବନରେ ସମ୍ଭାବ୍ୟ ବାତ୍ୟାକୁ ନେଇ ଚାଲିଥିଲା ଗୁରୁତ୍ବପୂର୍ଣ୍ଣ ବୈଠକ । ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । କେମିତି ବାତ୍ୟା ମୋନ୍ଥାକୁ ମୁକାବିଲା କରାଯିବ ସେନେଇ ଚାଲିଛି ମାନସମନ୍ଥନ । ଜରୁରୀକାଳୀନ ସାମଗ୍ରୀ ମହଜୁଦ ରଖାଯାଇଥିବା ବେଳେ ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ କରାଯାଇଛି । ବିଭାଗୀୟ ଅଧିକାରୀଙ୍କ ସହ ଜିଲ୍ଲାପାଳ ମାନେ ଭିସିରେ ଉପସ୍ଥିତ ରହିଛନ୍ତି । ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ଅଞ୍ଚଳ ପାଇଁ ସ୍ବତନ୍ତ୍ର ଦୃଷ୍ଟି ରଖିଛନ୍ତି ସରକାର । ତେବେ ସମ୍ଭାବ୍ୟ ବାତ୍ୟା ପାଇଁ ପୂରା ପ୍ରସ୍ତୁତ ଥିବା ସୂଚନା ଦେଇଛନ୍ତି ,ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।ଆନ୍ଧ୍ରକୁ ପବନ, ଓଡ଼ିଶାକୁ ବର୍ଷା। ବଙ୍ଗୋପସାଗରରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ ନେଲା ଅବପାତର ରୂପ। ଆସନ୍ତାକାଲି ହୋଇପାରେ ଗଭୀର ଅବପାତ। ଆହୁରି ଘନୀଭୁତ ହୋଇ ୨୭ରେ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି। ଆନ୍ଧ୍ର ଉପକୂଳରେ ଏହା ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ବାତ୍ୟାର ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ୨୬ତାରିଖ ସକାଳୁ ଗଭୀର ଅବପାତରେ ପରିଣତ ହେବ। ତାପରେ ବଳ ଗୋଟାଇ ଉପକୂଳ ମୁହାଁ ହେବ ବାତ୍ୟା। ୨୮ରେ ଏହା ଭୀଷଣ ବାତ୍ୟାର ରୂପ ନେଇପାରେ। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୦୦ କିମି ରହିବା ନେଇ ଆକଳନ କରିଛି ଆଇଏମଡି। ଅନ୍ୟପଟେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା ବଢ଼ିଛି। ୨୭ରୁ ୨୯ ମଧ୍ୟରେ ମାଲକାନଗିରି, କୋରାପୁଟରେ ଅତି ପ୍ରବଳ ବର୍ଷା ଏବଂ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ମଧ୍ୟମରୁ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହାଭିତରେ ଆଜି ୩ଟା ବେଳେ ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷା ସମ୍ଭାବନା ଆକଳନ କରିଛି ପାଣିପାଗ ବିଭାଗ ।