ପୀତବାସ ହତ୍ୟା ମାମଲା,ବିଜେଡି ନେତା ବିକ୍ରମ ପଣ୍ଡାଙ୍କୁ ଗିରଫ କଲା ପୁଲିସ

ପୀତବାସ ହତ୍ୟା ମାମଲା , ବିଜେଡି ନେତା ବିକ୍ରମ ପଣ୍ଡାଙ୍କୁ ଗିରଫ କଲା ପୁଲିସ । ପୁଲିସ  ଭ୍ୟାନ୍‌ରେ ବିକ୍ରମଙ୍କୁ କୋର୍ଟ ନେଲା ପୁଲିସ । ପୁଲିସ ଗତକାଲି ରାତିରେ ପୂର୍ବତନ ବିଧାୟକ ତଥା ଗଞ୍ଜାମ ବିଜେଡି ସଭାପତି  ବିକ୍ରମ ପଣ୍ଡାଙ୍କୁ ଉଠାଇ ନେଇଥିଲା । କିଏ ଓ କାହିଁକି ପୀତବାସ ପଣ୍ଡାଙ୍କୁ ହତ୍ୟା କଲା ତାର ସବୁ ସତ ସାମ୍ନାକୁ ଆସିବ । ରାଜନୈତିକ, ବୃତ୍ତିଗତ ନା ବ୍ୟକ୍ତିଗତ କାରଣ, ସେକଥା ମଧ୍ୟ ହୋଇଯିବ ସ୍ପଷ୍ଟ । ଏହି ଘଟଣାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଅଟକ ରଖି ଜେରା କରୁଛି ବ୍ରହ୍ମପୁର ପୁଲିସ । ରିଜର୍ଭ ବାରାକରେ ରଖି ପଚରା ଉଚୁରା କରାଯାଉଥିବା ଜଣାପଡ଼ିଛି। ଏକ ଟ୍ରାଞ୍ଜାକ୍ସନ ମାମଲାରେ ତାଙ୍କୁ ପୁଲିସ ଡକାଇଥିଲା ।

ବିକ୍ରମ ପଣ୍ଡାଙ୍କୁ ଗଜପତି ନଗର ସ୍ଥିତ ବାସ ଭବନରୁ ଉଠାଇ ଆଣି ଜେରା କରିବା ସହ ସାର୍ପସୁଟର ଚିଣ୍ଟୁକୁ ପୁଲିସ ବେଙ୍ଗାଲୁରୁରୁ ଟେକି ଆଣିଛି । ଚିଣ୍ଟୁ ନିକଟରୁ ଏକ ବନ୍ଧୁକ ଜବତ ହୋଇଥିବା ସୂଚନା ମିଳିଛି । ସେପଟେ ପୁରୀରୁ ଆଉ ଜଣେ ଅଭିଯୁକ୍ତଙ୍କୁ ମଧ୍ୟ ପୁଲିସ ଉଠାଇ ନେଇଛି । ସମୁଦ୍ର ବାଲିରେ ସେ ଲୁଚାଇଥିବା ଆଉ ଏକ ବନ୍ଧୁକ ବି ଜବତ ହୋଇଛି । ଜଣେ କର୍ପୋରେଟର ଓ ଛାତ୍ରନେତାଙ୍କୁ ମିଶାଇ ମୋଟ ୧୫ ଜଣଙ୍କୁ ପୁଲିସ ଅଟକ ରଖି ତଦନ୍ତ ଚଳାଇଛି । ଲାଗୁଛି ଖୁବଶୀଘ୍ର ପୀତବାସ ହତ୍ୟା ଘଟଣାରୁ ପରଦା ହଟିବ । ସେପଟେ ବିକ୍ରମ ପଣ୍ଡାଙ୍କୁ ଉଠାଇ ନେବା ପରେ ତାଙ୍କ ଘର ବାହାରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଥିଲା । ବିକ୍ରମ ପଣ୍ଡାଙ୍କ ସମର୍ଥକଙ୍କ ସମେତ ଅନେକ ଆଇନଜୀବୀ ସେଠାରେ ଏକତ୍ରିତ ହୋଇଥିଲେ । ଆଜି ଗଞ୍ଜାମ ବିଜେଡି ପକ୍ଷରୁ ବିକ୍ଷୋଭ ମଧ୍ୟ କରାଯାଉଛି । କିନ୍ତୁ ଏହାରି ଭିତରେ ବିକ୍ରମଙ୍କୁ ଗିରଫ କରିଛି ପୁଲିସ ।

Leave a comment