ଆସିଲା ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ମୋବାଇଲ୍ ଓ କଂପ୍ୟୁଟରର ଡାଟା ଫରେନସିକ ରିପୋର୍ଟ

ଭୁବନେଶ୍ୱର:  ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ପେନ ଡ୍ରାଇଭ, ମୋବାଇଲ, ଲାପଟପ ଓ ଟାବଲଏଡର ଫରେନସିକ ରିପୋର୍ଟ ଆସିଛି। କମିସନରେଟ ପୁଲିସ ପକ୍ଷରୁ ଏସଏଫଏସଏଲ ନିକଟକୁ ପଠାଯାଇଥିବା ଇଲୋକ୍ଟନିକ୍ସ ଗ୍ୟାଜେଟର ଫରେନସିକ ଅନାଲିସିସ ରିପୋର୍ଟ ମିଳିଛି। ଗୋଟିଏ କପି କୋର୍ଟ ଓ ଅନ୍ୟଟି ଡିସିପି ଓ ଆଇଆଇସିଙ୍କୁ ହସ୍ତାନ୍ତର କରିଛନ୍ତି ଏସଏଫଏସଏଲ।ଫରେନସିକ ରିପୋର୍ଟ ଆସିବା ପରେ ବଡ଼ ଖୁଲାସା ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ଅର୍ଚ୍ଚନା ନାଗଙ୍କର କେଉଁ ବଡ଼ବଡ଼ିଆମାନଙ୍କ ସହ ହନିଟ୍ରାପ ଡିଲ୍ ଥିଲା ଓ ସେ ଏହା ଜରିଆରେ କେତେ ଟଙ୍କା କାହାଠାରୁ ନେଇଛନ୍ତି, ତ‌ାହାର ଖୁଲାସା ହେବାର ସମ୍ଭାବନା ଅଧିକ ଉଜ୍ଜଳ ହୋଇଛି।
ହାର୍ଡଡିସ୍କରେ ସମସ୍ତ ଡାଟା ଦେଇଛନ୍ତି ଏସଏଫଏସଏଲ। ବିଶେଷକରି ମୋବାଇଲରୁ ଡିଲିଟ ହୋଇଥିବା ଚାଟ, ଲାପଟପରୁ ଡିଲିଟ ହୋଇଥିବା ଡାଟା ଓ ପେନଡ୍ରାଇଭର ରିଟ୍ରାଇଭ ଡାଟାକୁ ରିକଭର କରାଯାଇ ହସ୍ତାନ୍ତର କରାଯାଇଛି।ସୂଚନାଯୋଗ୍ୟ, ରାଜଧାନୀ ଭୁବନେଶ୍ବରର ଚର୍ଚ୍ଚିତ ବ୍ଲାକମେଲର ଅର୍ଚ୍ଚନା ନାଗ ଘଟଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଘଟଣାର ତଦନ୍ତ କରୁଛି। ବେଆଇନ୍‌ ଆର୍ଥିକ କାରବାର ନେଇ ଇଡି ତଦନ୍ତ କରିପାରେ। ଏନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପୁଲିସକୁ ଏଫ୍‌ଆଇଆର କପି ମାଗିଥିଲା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ଆର୍ଥିକ କାରବାର ନେଇ ଖୋଳତାଡ କରୁଛି। ଉଭୟ ସ୍ବାମୀ ଓ ସ୍ତ୍ରୀ ଏବେ ସେକ୍ସେଟୋର୍ସନ ମାମଲାରେ ଗିରଫ ହୋଇ ଝାରପଡ଼ା ଜେଲରେ ଅଛନ୍ତି। ଗତ ଅକ୍ଟୋବର ମାସ ୭ ତାରିଖରେ ଅର୍ଚ୍ଚନା ଗିରଫ ହେବାର ୧୫ ଦିନ ପରେ ସ୍ୱାମୀ ଜଗବନ୍ଧୁଙ୍କୁ  ପୁଲିସ ଗିରଫ କରିଥିଲା।