ବର୍ଷା ଯୋଗୁଁ ବାଲିଗୁଡ଼ାରେ ସ୍ଥିତି ବେହାଲ

ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ସ୍ଥିତି ବେହାଲ। ଗତ ରାତିରେ ପ୍ରବଳ ବର୍ଷା ଯୋଗୁଁ ବାଲିଗୁଡ଼ା ବସଷ୍ଟାଣ୍ଡ ନିକଟରେ ଥିବା ଦୁଇଟି ପୋଖରୀରେ ପାଣି ଭର୍ତ୍ତି ହେବା ସହିତ ବସଷ୍ଟାଣ୍ଡ ନିକଟ ପୋଖରୀର ହୁଡା ଭାଙ୍ଗିଯାଇଛି। ଫଳରେ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ଜାତୀୟ ରାଜପଥ ୫୯ ଉପରେ ଆଣ୍ଠୁଏ ଉଚ୍ଚରେ ପାଣି ଲହଡ଼ି ମାରୁଛି। ଗାଡିମୋଟର ଯାତାୟତରେ ବାଧା ଉପୁଜୁଛି।ନିମ୍ନମାନର କାମ ଯୋଗୁଁ ତଳ ପୋଖରୀ ହୁଡ଼ା ଭାଙ୍ଗିଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରୁଛନ୍ତି। ସେହିପରି ଉପର ପୋଖରୀର ନିର୍ମାଣରେ ତ୍ରୁଟି ଅଭିଯୋଗ ହେଉଛି। ଜଳ ନିଷ୍କାସନ ହେଉନଥିବାରୁ ରାସ୍ତା ଉପରେ ପାଣି ଜମୁଥିବା ଦେଖିବାକୁ ମିଳିଛି। ବାଲିଗୁଡ଼ା ଏନଏସି ପୋଖରୀ ପୁନଃରୁଦ୍ଧାର କାର୍ଯ୍ୟରେ କୋଟିଏରୁ ଉର୍ଦ୍ଧ୍ଵ ଟଙ୍କା ବ୍ୟୟ କରିଥିବା ବେଳେ ସରକାରୀ ଟଙ୍କା ପାଣିରେ ପଡ଼ିଲା ବୋଲି ଚର୍ଚ୍ଚା ହେଉଛି।