ଫିଟ୍ ଇଣ୍ଡିଆ କ୍ୱିଜ୍: ଜାତୀୟ ପର୍ଯ୍ୟାୟରେ ଓଡିଶାର ଦୁଇ ଛାତ୍ର

ଫିଟ୍ ଇଣ୍ଡିଆ କ୍ୱିଜ୍‌, ୨୦୨୧ର ଜାତୀୟ  ପର୍ଯ୍ୟାୟ ଖେଳ ଆରମ୍ଭ ହୋଇ ଯାଇଛି । ୩୬ଟି ରାଜ୍ୟ / କେନ୍ଦ୍ର ଶାସିତ ପ୍ରଦେଶ ଗୁଡିକର ରାଜ୍ୟ ସ୍ତରୀୟ ବିଜେତା ଶୀର୍ଷ ସମ୍ମାନ ଏବଂ ବୃହତ୍ ପରିମାଣର ନଗଦ ପୁରସ୍କାର ଗୁଡିକ ନିମନ୍ତେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।

କନିଷ୍କ ଏବଂ ହ୍ୱିପ୍ କୁମାର ବେହେରା, ଡିଏଭି ପବ୍ଲିକ୍ ସ୍କୁଲ୍‌, ଏନ୍‌ଟିପିସି ଦୀପଶିଖା କଣିହାଁ, ଅନୁଗୁଳରୁ ଜାତୀୟ ପର୍ଯ୍ୟାୟରେ ଓଡିଶାର ପ୍ରତିନିଧିତ୍ୱ କରିବେ । କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ ଠାକୁର ଗତ କାଲି ସନ୍ଧ୍ୟାରେ ମୁମ୍ବାଇ ଠାରେ ଓଡିଶାର ଦୁଇ ଛାତ୍ର ମାନଙ୍କ ସମେତ ବିଜେତା ମାନଙ୍କୁ ପୁରସ୍କାର ପ୍ରଦାନ କରି ସମ୍ମାନିତ କରିଥିଲେ । ସ୍କୁଲ୍ ଗୁଡିକୁ ପ୍ରତ୍ୟେକ ୨,୫୦,୦୦୦ ଟଙ୍କା ଦିଆ ଯାଇଥିବା ବେଳେ ପ୍ରତ୍ୟେକ ଛାତ୍ରଙ୍କୁ ୧୨,୫୦୦ ଟଙ୍କା ଲେଖାଏଁ ପ୍ରଦାନ କରା ଯାଇଥିଲା ।

ଫିଟ୍ ଇଣ୍ଡିଆ କ୍ୱିଜ୍‌ର ଶେଷ ପର୍ଯ୍ୟାୟରେ ଭାଗ ନେବା ପାଇଁ ୭୨ ଜଣ ଛାତ୍ର ପ୍ରତିଯୋଗୀ ଏବେ ନିଜ ନିଜର ଶିକ୍ଷକ ମାନଙ୍କ ସହିତ ମୁମ୍ବାଇରେ ଅଛନ୍ତି । ଜାତୀୟ ପର୍ଯ୍ୟାୟର ପ୍ରସାରଣ ଷ୍ଟାର ସ୍ପୋର୍ଟସ ଏବଂ ଜାତୀୟ ଟେଲିଭିଜନ୍‌ରେ ଏବଂ ଭାରତୀୟ ଖେଳ ପ୍ରାଧିକରଣ, ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟର ସାମାଜିକ ମାଧ୍ୟମ ଚ୍ୟାନେଲ୍ ଗୁଡିକରେ ପ୍ରସାରିତ କରାଯିବ ।

ଫିଟ୍ ଇଣ୍ଡିଆ କ୍ୱିଜ୍ ୨୦୨୧ର ଜାତୀୟ ପର୍ଯ୍ୟାୟରେ ବିଜୟ ଲାଭ କରିବା ସ୍କୁଲ୍‌କୁ ୨୫ ଲକ୍ଷ ଟଙ୍କାର ପୁରସ୍କାର ଅର୍ଥ ମିଳିବ ଏବଂ ଛାତ୍ର ମାନଙ୍କର ବିଜେତା ଦଳକୁ ୨.୫ ଲକ୍ଷ ଟଙ୍କାର (ପ୍ରତ୍ୟେକଙ୍କୁ ୧.୨୫ ଲକ୍ଷ ଲେଖାଏଁ) ପୁରସ୍କାର ଅର୍ଥ ପ୍ରଦାନ କରାଯିବ ।

ପ୍ରଥମ ଉପ – ବିଜେତାଙ୍କୁ ୧୫ ଲକ୍ଷ (ସ୍କୁଲ୍ ନିମନ୍ତେ) ଏବଂ ଛାତ୍ର ମାନଙ୍କୁ ୧.୫ ଲକ୍ଷ ଟଙ୍କା (ପ୍ରତ୍ୟେକ ଛାତ୍ର ନିମନ୍ତେ ୭୫,୦୦୦ ଟଙ୍କା ଲେଖାଏଁ) ଏବଂ ଦ୍ୱିତୀୟ ଉପ – ବିଜେତାଙ୍କୁ ୧୦ ଲକ୍ଷ ଟଙ୍କା (ସ୍କୁଲ୍ ନିମନ୍ତେ) ଏବଂ ଛାତ୍ର ମାନଙ୍କୁ ୧ ଲକ୍ଷ ଟଙ୍କା (ପ୍ରତ୍ୟେକ ଛାତ୍ର ନିମନ୍ତେ ୫୦,୦୦୦ ଟଙ୍କା ଲେଖାଏଁ) ପ୍ରଦାନ କରାଯିବ ।