ଔଷଧ ଗୋଦାମରେ ଲାଗିଲା ନିଆଁ, ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ
ମଞ୍ଚେଶ୍ବର ଶିଳ୍ପାଞ୍ଚଳସ୍ଥିତ ସରକାରୀ ଔଷଧ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟି ବିପୁଳ କୋଭିଡ୍ ଔଷଧ ଓ କିଟ୍ ଜଳିପୋଡ଼ି ପାଉଁଶ ହୋଇଯାଇଛି। କ୍ଷୟକ୍ଷତିର ଆକଳନ ହୋଇନଥିଲେ ବି କୋଟି କୋଟି ଟଙ୍କାର ସରକାରୀ ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଥିବା ଅନୁମାନ କରାଯାଉଛି। କୋଭିଡ୍ ଔଷଧ ଓ କିଟ୍ ଗୋଦାମ ହୋଇଥିବାରୁ ଅଗ୍ନିକାଣ୍ଡକୁ ନେଇ ନାନା କଥା ସୃଷ୍ଟି ହୋଇଛି। ଏହି ଅଗ୍ନିକାଣ୍ଡ କୌଣସି ଆକସ୍ମିକ କାରଣରୁ ଘଟିଛି ନା କେହି କୌଣସି ଦୁର୍ନୀତିକୁ ଘୋଡ଼ାଇବାକୁ ଯାଇ ଏଭଳି କାଣ୍ଡ ଭିଆଇଛି ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏତେବଡ଼ ସରକାରୀ ଗୋଦାମରେ କୋଟି କୋଟି ଟଙ୍କାର ସାମଗ୍ରୀ ରହୁଥିବାରୁ ସୁରକ୍ଷାକର୍ମୀମାନେ ଅଗ୍ନି ନିର୍ବାପକ ଯନ୍ତ୍ର ବ୍ୟବହାର କଲେ ନାହିଁ କାହିଁକି ବୋଲି ପ୍ରଶ୍ନ ଉଠିଛି। ଅଗ୍ନି ରବିବାର ଗୋଦାମ ବନ୍ଦ ଥିବା ବେଳେ ନିଆଁ ଲାଗିଲା କେମିତି? କିଏ ଲଗାଇଲା ନା କଣ? ସର୍ଟ ସର୍କିଟରୁ ନିଆଁ ଲାଗିଲା କି? କିଛି ସ୍ପଷ୍ଟ ହୋଇନି। କୋଭିଡ୍ ପିପିଇ କିଟ୍, ସାନିଟାଇଜର ଓ ଅକ୍ସିଜେନ ସିଲିଣ୍ଡର ସବୁ ନିଆଁର ପ୍ରକୋପରେ ନଷ୍ଟ ହୋଇଯାଇଛି ।