ଉତ୍ସବମୁଖର ହେବ ଭୁବନେଶ୍ୱର ଓ ରାଉରକେଲା
ପୁରୁଷ ହକି ବିଶ୍ୱକପ୍-୨୦୨୩ ପ୍ରସ୍ତୁତିର ସମୀକ୍ଷା ବୈଠକ ଶୁକ୍ରାବର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଶ୍ୱକପ୍ ଆୟୋଜକ କମିଟି, ହକି ଇଣ୍ଡିଆର ସଭାପତି ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଉଚ୍ଚ ପଦାଧିକାରୀମାନେ ଉପସ୍ଥିତ ରହିଥିଲେ ।ଆସନ୍ତା ଜାନୁଆରୀ ୧୩ ତାରିଖରୁ ଭୁବନେଶ୍ୱର ଓ ରାଉରକେଲା ଉଭୟ ଭେନ୍ୟୁରେ ବିଶ୍ୱକପ୍ ଖେଳାଯିବ । ଟୁର୍ଣ୍ଣାମେଣ୍ଟ ଆୟୋଜନକୁ ସଫଳ କରିବା ନେଇ ପୂର୍ବରୁ ମୁଖ୍ୟ ଶାସନ ସଚିବ ବିଭିନ୍ନ ବିଭାଗର ସହଯୋଗ କାମନା କରିଥିଲେ । ସମସ୍ତ କାର୍ଯ୍ୟ ସୂଚାରୁ ଭାବେ ଚାଲିଥିବାରୁ ବିଭିନ୍ନ କମିଟିକୁ ଶ୍ରୀ ମହାପାତ୍ର ଉତ୍ସାହିତ କରିବା ସହ ଧନ୍ୟବାଦ ଜଣାଇଥିଲେ ।
ଶୁକ୍ରବାର ବୈଠକରେ ନିଷ୍ପତ୍ତିକ୍ରମେ ବିଶ୍ୱକପ୍ରେ ରାଜ୍ୟ କଳା, ସଂସ୍କୃତି, ଐତିହ୍ୟ ଓ ପର୍ଯ୍ୟଟନକୁ ଅଧିକ ଗୁରୁତ୍ୱ ଦିଆଯିବ । ସେହି ସମୟରେ ଉଭୟ ରାଜଧାନୀ ଭୁବନେଶ୍ୱର ଓ ରାଉରକେଲାରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇ ସହରକୁ ଉତ୍ସବମୁଖର କରାଯିବ ।ପୂର୍ବରୁ ଉଭୟ ଭେନ୍ୟୁକୁ ଯୋଗାଯୋଗ କରିବା ପାଇଁ ଚାର୍ଟର ବିମାନର ବ୍ୟବସ୍ଥା କରାଯିବାକୁ ନିଷ୍ପତ୍ତି ହୋଇଥିଲା । କିନ୍ତୁ ଆସନ୍ତା ଡିସେମ୍ବର ମାସରୁ ରାଉରକେଲାକୁ ବିମାନ ସେବା ଆରମ୍ଭ ହେବ ବୋଲି ବୈଠକରେ ଆଶା ବ୍ୟକ୍ତ କରାଯାଇଛି । ଟୁର୍ଣ୍ଣାମେଣ୍ଟ ସମୟରେ ଭୁବନେଶ୍ୱରରୁ ରାଉରକେଲାକୁ ସ୍ୱତନ୍ତ୍ର ବସ୍ ସେବାର ବ୍ୟବସ୍ଥା କରାଯିବ । ଯାହା ଖେଳାଳି ଏବଂ ଅଫିସିଆଲଙ୍କ ସହଜରେ ଯାଆ ଆସ କରିବାରେ ସହାୟକ ହେବ ।