ଚାଷୀଙ୍କ ସମସ୍ୟା ସମାଧାନ ନକଲେ ବିଜେଡି ଏ ସରକାରର କୁମ୍ଭ କର୍ଣ୍ଣ ନିଦ ହଜେଇଦେବ – ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ
ଚାଷୀଙ୍କ ପାଇଁ ଆଜି ରାଜରାସ୍ତାକୁ ଓହ୍ଲାଇଛି ବିଜେଡି । ଭୁବନେଶ୍ୱରର ଲୋୟର ପିଏମଜିରେ ବଡ ଚାଷୀ ସମାବେଶ କରି ରାଜ୍ୟ ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ନବୀନ କହିଛନ୍ତି ଏ ସରକାର ସ୍ଲୋଗାନ ଦେଉଛି ଜୟ କିଷାନ କିନ୍ତୁ କାମରେ ଭାଗୋ କିଷାନ । ସରକାର କାହାଣୀରେ ଚାଲେନି, କାମ ଦରକାର । ଲୋକ ସେବା ଚାହାଁନ୍ତି ନେତାଙ୍କ ପ୍ରବଚନ ନୁହେଁ । ଚାଷୀଙ୍କ ସମସ୍ୟା ସମାଧାନ ନକଲେ ବିଜେଡି ଏ ସରକାରର କୁମ୍ଭ କର୍ଣ୍ଣ ନିଦ ହଜେଇଦେବ ।
ଖୁବଶୀଘ୍ର ଏ ସରକାର ଦୁଇ ବର୍ଷ ପୂରଣ କରିବ । ଏ ସରକାର ନା ଠିକ୍ ନିଷ୍ପତ୍ତି ନେଇ ପାରୁଛନ୍ତି ନା କାର୍ଯ୍ୟକାରୀ କରି ପାରୁଛନ୍ତି । ନିର୍ବାଚନ ବେଳେ ବହୁତ ବଡ ବଡ କଥା କହୁଥିଲେ । ଲମ୍ବା ଲମ୍ବା ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ କିଛି ମିଳିଲାନି । ବିଜେଡି ସରକାର ଚାଷୀଙ୍କ ପାଇଁ ସ୍ୱତନ୍ତ୍ର ବଜେଟ କରିଥିଲା । କାଳିଆ ଯୋଜନା, ଋଣ ସୁବିଧା, ଜଳସେଚନ ସୁବିଧା କରିଥିଲା । କିନ୍ତୁ ଏ ଡବଲ ଇଞ୍ଜିନ ସରକାର କଣ କରିଛି ବୋଲି ପ୍ରଶ୍ନ କରିଛନ୍ତି ନବୀନ ପଟ୍ଟନାୟକ ।
ନବୀନ ଆହୁରି ମଧ୍ୟ କହିଛନ୍ତି ଯେ ଚାଷୀଙ୍କ ସମସ୍ୟା ନେଇ ସରକାରଙ୍କୁ ଚିଠି ଲେଖିଥିଲି । ନିର୍ବାଚନ ପ୍ରତିଶ୍ରୁତି ଆନ୍ତରିକତାର ସହ ପାଳନ କରିବାକୁ ଅନୁରୋଧ କରିଥିଲି, ଏଥିପାଇଁ ପ୍ରସ୍ତାବ ମଧ୍ୟ ଦେଇଥିଲି । କଟନୀ ଛଟନୀ ବନ୍ଦ ପାଇଁ ସ୍ପେଶାଲ୍ ସ୍କ୍ୱାର୍ଡ କରିବାକୁ ଦାବି କରିଛନ୍ତି ନବୀନ । ଏହାସହିତ ଇନପୁଟ ସବସିଡିରୁ ୧୫୦ କ୍ୱଣ୍ଟାଲ ଧାନ ଉଠାଅ । ୪୮ଘଣ୍ଟାରେ ଡିବିଟିରେ ଚାଷୀକୁ ପଇସା ଦିଅ । ଖୋଲାରେ ପଡିଥିବା ଧାନକୁ ୭୨ଘଣ୍ଟାରେ କିଣିବାକୁ ନବୀନ ଦାବି କରିଛନ୍ତି ।
ନବୀନ ବିଜେପିକୁ ଟାର୍ଗେଟ କରି କହିଛନ୍ତି ଯେ ପ୍ରଚାରରେ ଶହ ଶହ କୋଟି ଖର୍ଚ୍ଚ ହେଉଛି କିନ୍ତୁ ଚାଷୀଙ୍କ ପାଇଁ ନାହିଁ । ଗତ ୮ଦିନ ହେଲା ଚାଷୀଙ୍କ ସମସ୍ୟା ପାଇଁ ବିଜେଡି ବିଧାନସଭାରେ ଲଢୁଛି, କିନ୍ତୁ ଏ ସରକାରର ଚାଷୀ ପ୍ରତି ଖାତିର ନାହିଁ । ସ୍ଲୋଗାନରେ ଜୟ କିଷାନ କିନ୍ତୁ କାମରେ ଭାଗୋ କିଷାନ । ଆଇନ ଶୃଙ୍ଖଳା କଥା ନକହିବା ଭଲ । ଏ ରାଜ୍ୟରେ କେହିବି ନିରାପଦ ନୁହଁନ୍ତି । ଚାଷୀ ତାର ହକ ପାଉନି । ମା ମାନଙ୍କୁ ସୁରକ୍ଷା ମିଳୁନି । ଯୁବ ସମାଜକୁ ରୋଜଗାର ମିଳୁନି । ସବୁ ପରୀକ୍ଷା ପେପର ଲିକ୍ । ଗୋଟିଏ ବି ପରୀକ୍ଷାକୁ ସୁଚାରୁରୂପେ ପାଳନ କରିନାହାଁନ୍ତି । ସାଧାରଣ ଲୋକର ଦୁଃଖ ସରୁନି । ଏ ସରକାର କଣ କରୁଛି । ଲୋକଙ୍କୁ ସେବା ଦରକାର, ନେତାଙ୍କ ପ୍ରବଚନ ନୁହେଁ । କାହାଣୀରେ ସରକାର ଚାଲେନି, କାମ ଦରକର । ବିଜୁ ଜତନା ଦଳ ଚାଷୀଙ୍କ ହକ ପାଇଁ ଲଢେଇ ଜାରି ରଖିବ ଆଉ ସରକାରଙ୍କର କୁମ୍ଭକର୍ଣ୍ଣ ନିଦ ହଜେଇ ଦେବ ।
ବିଜେଡିର ଚାଷୀ ସମାବେଶରେ ହଜାର ହଜାର କର୍ମୀ ସାମିଲ ହୋଇ ବିଜେପି ସରକାର ଉପରେ ବର୍ଷିଥିଲେ । ବିଭିନ୍ନ ଜିଲାରୁ ବରିଷ୍ଠ ନେତା, କର୍ମୀ ଏଥିରେ ସାମିଲ ହୋଇଥିଲେ ।