ଆଜି ପୌର ଭୋଟ

ଆଜି ପୌର ଭୋଟ

ମେଟ୍ରୋ ଓଡିଶା ( ୨୪ .୩.୨୦୧୨)

ଆଜି ପୌର ଅଂଚଳରେ ଭୋଟ ଗ୍ରହଣ । ସକାଳ ୮ଟାରୁ ମତଦାନ ଆରମ୍ଭହୋଇଛି ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ। ଏହି ନିର୍ବାଚନରେ ୫୬୯ ମେୟର ଓ ଅଧ୍ୟକ୍ଷ ଏବଂ ୫୮୪୨ ଜଣ କର୍ପୋରେଟର ଓ କାଉନସିଲର ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ଚାଲିଛି । ପୌରାଞ୍ଚଳ, ବିଜ୍ଞାପିତ ପରିଷଦ ଅଞ୍ଚଳ(ଏନଏସି)ର ୧୬୭୨ ୱାର୍ଡ ପାଇଁ ଭୋଟ ଗ୍ରହଣ ହେଉଛି । ଭୁବନେଶ୍ୱର, କଟକ ଏବଂ ବ୍ରହ୍ମପୁର ମହାନଗର ନିଗମର ୧୬୫ ୱାର୍ଡ ନିମନ୍ତେ ଲଢୁଥିବା ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ୩ ମହାନଗର ନିଗମ, ୪୭ ପୌରାଞ୍ଚଳ ଏବଂ ୫୯ ଏନଏସିର ମୋଟ ୩୦୬୮ ବୁଥରେ ୪୦ ଲକ୍ଷ ୫୫ ହଜାର ୫୩ଜଣ ଭୋଟର ମତଦାନ କରିବେ। ଏଥର ଭୋଟର ସିଧାସଳଖ ମେୟର ଏବଂ ଅଧ୍ୟକ୍ଷ ପ୍ରାର୍ଥୀଙ୍କୁ ବାଛିବେ। ତେବେ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ପଞ୍ଚାୟତ ନିର୍ବାଚନରେ ମତଦାନ କରିଥିବା ଭୋଟର ପୌର ନିର୍ବାଚନରେ ଭୋଟ ଦେଇପାରିବେ ନାହିଁ। ପଞ୍ଚାୟତ ନିର୍ବାଚନରେ ଭୋଟ ଦେଇଥିବା କୌଣସି ବ୍ୟକ୍ତି ପୌର ନିର୍ବାଚନରେ ଭୋଟ ଦେଉଥିବା ନଜରକୁ ଆସେ ସେ କ୍ଷେତ୍ରରେ ସମ୍ପୃକ୍ତ ଭୋଟରଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ପ୍ରତ୍ୟେକ ବୁଥରେ ଦୁଇଟି ବୈଦ୍ୟୁତିକ ମତଦାନ ଯନ୍ତ୍ର (ଇଭିଏମ) ରହିବ। ଗୋଟିଏ ମେୟର ଓ ଅଧ୍ୟକ୍ଷ ପ୍ରାର୍ଥୀଙ୍କ ପାଇଁ ଆଉ ଗୋଟିଏ କାଉନସିଲର ଏବଂ କର୍ପୋରେଟର ପ୍ରାର୍ଥୀଙ୍କ ପାଇଁ ରଖାଯାଇଛି। ପ୍ରତ୍ୟେକ ପୁଲିଂ ଦଳରେ ଜଣେ ପ୍ରିଜାଇଡିଂ ଅଧିକାରୀ, ୪ ଜଣ ପୁଲିଂ ଅଧିକାରୀ ନିୟୋଜିତ ହୋଇଛନ୍ତି। ବୁଧବାର ସନ୍ଧ୍ୟା ସୁଦ୍ଧା ବୁଥ୍‌ ଗୁଡିକରେ ପୁଲିଂ ଦଳ ପହଞ୍ଚି ସାରିଛନ୍ତି। ୧୯୫ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି। ବିଏମସି ନିର୍ବାଚନ ପାଇଁ ୩୦ ପ୍ଲାଟୁନ, ସିଏମସି ନିର୍ବାଚନ ପାଇଁ ୨୦ ପ୍ଲାଟୁନ ଏବଂ ବ୍ରହ୍ମପୁର ମହାନଗର ନିଗମ ନିର୍ବାଚନ ପାଇଁ ୧୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି। ସମ୍ବେଦନଶୀଳ ବୁଥ ଗୁଡିକୁ ୩୦୦ ଭ୍ରାମ୍ୟମାଣ ଦଳ(ମୋବାଇଲ ପାର୍ଟି) ଜଗିବେ। ଏଥିରୁ ୧୦୯ ତିନି ମହାନଗର ନିଗମ ପାଇଁ ନିୟୋଜିତ ହୋଇଛନ୍ତି। ସୁରକ୍ଷା ବ୍ୟବସ୍ଥା ନିମନ୍ତେ ପ୍ରତି ବୁଥରେ ଜଣେ ସୁରକ୍ଷା କର୍ମୀଙ୍କୁ ନିଯୁକ୍ତ କରାଯାଇଛି। ଚିହ୍ନଟ ସମସ୍ତ ସମ୍ବେଦନଶୀଳ ବୁଥ ଗୁଡିକର ଭିଡିଓଗ୍ରାଫି କରାଯିବ। ଶାନ୍ତିଶୃଙ୍ଖଳାର ସହିତ ମତଦାନ ଲାଗି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବାକୁ ନିର୍ବାଚନ ଅଧିକାରୀ ଏବଂ ପୁଲିସ ପ୍ରଶାସନକୁ ନିର୍ବାଚନ ଆୟୁକ୍ତ ଆଦିତ୍ୟ ପ୍ରସାଦ ପାଢୀ ନିର୍ଦେଶ ଦେଇଛନ୍ତି।