ଭିଜିଲାନ୍ସ ଜାଲରେ ପଡ଼ିଥିବା ଯନ୍ତ୍ରୀ ଓ ଅଫିସରଙ୍କୁ ଇଡି କରିବ ଜେରା

ଭିଜିଲାନ୍ସ ଜାଲରେ ପଡ଼ିଥିବା ଯନ୍ତ୍ରୀ ଓ ଅଫିସରଙ୍କୁ ଇଡି କରିବ ଜେରା । ଖୋଳି ବାହାର କରିବ ପୋତା ଧନର ରହସ୍ୟ । କୋଟି କୋଟି ଟଙ୍କା ସମ୍ପତ୍ତି ଠୁଳର ରହସ୍ୟ ଖୋଜି ବାହାର କରିବ ଇଡି । ୪ ମାସ ମଧ୍ୟରେ ଭିଜିଲାନ୍ସ ଜାଲରେ ପଡ଼ିଥିବା ସମସ୍ତ ଯନ୍ତ୍ରୀଙ୍କ ତଥ୍ୟ ଇଡିକୁ ଦେଇଛି ରାଜ୍ୟ ଭିଜିଲାନ୍ସ ।

ଖୁବଶୀଘ୍ର କୋଟିପତି ଯନ୍ତ୍ରୀଙ୍କୁ ଇଡି କରିବ ସମନ ବୋଲି କହିଛନ୍ତି ଭିଜିଲାନ୍ସ ନିର୍ଦ୍ଦେଶକ ଯଶବନ୍ତ ଜେଠୱା । ୧୨ ଜୁନରୁ ୨୬ ଅକ୍ଟୋବର ଭିତରେ ଭିଜିଲାନ୍ସ ୧୨୩ ଜଣଙ୍କ ବିରୋଧରେ ୮୮ଟି ମାମଲା କରିଛି । ଏଥିରେ ୨୪ ଜଣ ପ୍ରଥମ ଶ୍ରେଣୀ ଅଧିକାରୀ ରହିଛନ୍ତି । ଏହି ୪ ମାସରେ ପ୍ରାୟ ୭୮ କୋଟି ଟଙ୍କାର ସଂପତ୍ତି ଜବତ ହୋଇଛି । ଏ  ସବୁ ଆୟବର୍ହିଭୂତ ସଂପତ୍ତି । ୩୨ଟି ମକଦ୍ଦମାରେ ୪୦ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଦଣ୍ଡ ବିଧାନ ହାର ୮୦ ପ୍ରତିଶତରୁ ଅଧିକ ।

ଓଡ଼ିଶାରେ ବିଜେପି ସରକାର ଆସିବା ପରେ ରାଜ୍ୟରେ ନିୟମିତଭାବେ ଭିଜିଲାନ୍ସ ଚଢ଼ଉ ହେଉଛି। ଏଦୃଷ୍ଟିରୁ ଆଗକୁ ଯେଉଁମାନେ ଭିଜିଲାନ୍ସ ଜାଲରେ ପଡ଼ିବେ ସେମାନେ ବି ଇଡି ସ୍କାନର୍ ରେ ଆସିବେ। ଇଡି ଅର୍ଥର ଉତ୍ସକୁ ନେଇ ଖୋଳତ‌ାଡ଼ କରିବ ଏବଂ ଅନ୍ୟ ଯେଉଁ ପ୍ରଭାବଶାଳୀ ବ୍ୟକ୍ତିମାନେ ଏଥିରେ ଜଡ଼ିତ ଥିବେ, ସେମାନଙ୍କୁ ବି ସମନ କରି ଜେରା କରିପାରେ ଇଡି। ଏହାକୁ ନେଇ ଦୁର୍ନୀତିଗ୍ରସ୍ତ ଅଧିକାରୀମାନଙ୍କ ମଧ୍ୟରେ ପଶିଛି ଛନକା |