ସୁବର୍ଣ୍ଣ ଜୟନ୍ତୀ ପାଳିବ ଶାନ୍ତିସ୍ତୂପ ଧଉଳି

ସୁବର୍ଣ୍ଣ ଜୟନ୍ତୀ ପାଳିବ ଶାନ୍ତିସ୍ତୂପ ଧଉଳି । ସେଥିପାଇଁ ସରକାରୀ ସ୍ତରରେ ଆରମ୍ଭ ହୋଇଛି ପ୍ରସ୍ତୁତି । ୧୯୭୨ରେ ଧଉଳି ପାହାଡ଼ରେ ପ୍ରତିଷ୍ଠିତ ବିଶ୍ୱବିଦିତ ଶାନ୍ତିସ୍ତୂପ ଏବଂ ବୌଦ୍ଧ ପୁଣ୍ୟପୀଠ ଚଳିତ ବର୍ଷ ୫୦ ବର୍ଷ ପୂରଣ କରୁଛି । ଏହାକୁ ସ୍ମରଣୀୟ କରିବା ଲାଗି ଶାନ୍ତିସ୍ତୂପର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି ।

ଏନେଇ ଗୁରୁବାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ସମୀକ୍ଷା ବୈଠକ ବସିଥିଲା । ରାଜ୍ୟ ଲୋକସେବା ଭବନ ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢ଼ୀ ଉପସ୍ଥିତ ଥିଲେ । ସେ ଉତ୍ସବ ପାଳନ ସମ୍ବନ୍ଧିତ କାର୍ଯ୍ୟକ୍ରମ ଏବଂ ପରିଚାଳନା ବିଷୟ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ । ଆସନ୍ତା ଅକ୍ଟୋବର ୨୮ ତାରିଖ ଦିନ ମୁଖ୍ୟ ଉତ୍ସବ ପାଳନ ନିମନ୍ତେ ବୈଠକରେ ସ୍ଥିର ହୋଇଥିଲା । ଏଥିରେ ପୃଥିବୀର ବିଭିନ୍ନ ଦେଶରୁ ପ୍ରାୟ ୧୫୦ ବୌଦ୍ଧ ସନ୍ନ୍ୟାସୀ ଯୋଗ ଦେବାର ସମ୍ଭାବନା ଅଛି । ସେହିଦିନ ଭୁବନେଶ୍ୱରରୁ ଧଉଳି ପର୍ଯ୍ୟନ୍ତ ଏକ ଶାନ୍ତି ଶୋଭାଯାତ୍ରା ଆୟୋଜିତ ହେବ ।