ଯାଜପୁରରେ ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ

ଯାଜପୁରରେ ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ ବିଭିନ୍ନ ସ୍ଥାନରେ ପୋଲିସ ର ତିନୋଟି ଟିମ୍ ଚଢାଉ କରି ୪ଜଣଙ୍କୁ ଅଟକ ରଖିଛି । ତେବେ ଅନ୍ୟମାନେ ଏଯାଏଁ ଫେରାର୍ ଅଛନ୍ତି । ବିଳମ୍ବିତ ରାତିରେ ଅତିରିକ୍ତ ଡିଜି ପହଁଚି ଏସପିଙ୍କ ସହ ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି । ଗତକାଲି ସଂଧ୍ୟାରେ ସଦର ଥାନା ବୁଢ଼ାପୋଲ ନିକଟରେ ଯାଉଥିବା ବେଳେ ବିଧାୟକ ହିମାଂଶୁ ସାହୁଙ୍କ ଗାଡ଼ି ଅଟକାଇ କିଛି ଯୁବକ ଅତର୍କିତ ଆକ୍ରମଣ କରିଥିଲେ ।

ଏହି ଘଟଣା ନେଇ ସିଧାସଳଖ ବିଜେଡ଼ି ନେତା ତଥା ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସ ଏବଂ ତାଙ୍କ ଭାଇ ଲଲଙ୍କ ବିରୋଧରେ ଆଣିଥିଲେ ସାଂଘାତିକ ଅଭିଯୋଗ । ହିମାଂଶୁ କହିଛନ୍ତି ସେ ଡିଡିଏମଙ୍କ ଅଫିସକୁ ମିଟିଂ ପାଇଁ ଯାଉଥିଲେ। କିଛି ଲୋକ ରାସ୍ତାରୋକ କରିଥିଲେ। ରାସ୍ତା ବନ୍ଦ ଥିବାରୁ ସେଠାରେ ତାଙ୍କ ଗାଡ଼ି ଅଟକି ଥିଲା । କିଛି ଲୋକ ତାଙ୍କ ଆଡ଼କୁ ମାଡି ଆସିଥିଲେ। ବିଧାୟକଙ୍କ ଗାଡିକୁ ରଡ଼ ଓ ଠେଙ୍ଗାରେ ପିଟି ଥିଲେ। ବିଧାୟକଙ୍କୁ ପିଟି ସେ ପିନ୍ଧିଥିବା ଚେନ୍ ଛିଡ଼ାଇ ନେଇଥିଲେ। ଦୁର୍ବୃତ୍ତମାନେ ବବି ଭାଇ ଜିନ୍ଦାବାଦ କହି ଆକ୍ରମଣ କରିଥିବା କହିଛନ୍ତି ଧର୍ମଶାଳା ବିଧାୟକ।  ସେପଟେ ବବି ଦାସଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛନ୍ତି ହିମାଂଶୁଙ୍କ ସମର୍ଥକ।