ଶୈବପୀଠ ଗୁଡ଼ିକରେ ଜଳଲାଗି ପାଇଁ କାଉଡିଆଙ୍କ ଲମ୍ବା ଲାଇନ୍

ଶ୍ରାବଣ ମାସର ଦ୍ୱିତୀୟ ସୋମବାରରେ ଚଳଚଞ୍ଚଳ ହୋଇଉଠିଛି ରାଜ୍ୟର ବିଭିନ୍ନ ଶୈବ ମନ୍ଦିର । ଲିଙ୍ଗରାଜ ମନ୍ଦିରରେ ପ୍ରବଳ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିଲା । ରସଲଗଡ଼ ଠାରୁ ଶୈବଭକ୍ତଙ୍କ ଲମ୍ବାଲାଇନ ଆଜି ସକାଳୁ ଦେଖିବାକୁ ମିଳିଥିଲା । ସେହିପରି ଆଠଗଡର ବାବା ଧବଳେଶ୍ୱରଙ୍କ ପୀଠରେ ଶୈବଭକ୍ତଙ୍କ ପ୍ରବଳ ଗହଳି ହୋଇଥିଲା । ବାବାଙ୍କ ପାଖେ ଜଳଲାଗି କରିବା ପାଇଁ ଓଡିଶାର କୋଣ ଅନୁକୋଣରୁ ଛୁଟି ଆସିଛନ୍ତି ହଜାର ହଜାର ସଂଖ୍ୟାକ କାଉଡିଆ ।

ଗତ କାଲି ରାତି ୩ଟାରୁ ପହଡ ଖୋଲାଯାଇ ଶାନ୍ତି ଶୃଙ୍ଖଳାର ସହ ଚାଲିଥିଲା ସାଧାରଣ ଦର୍ଶନ । ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ୨ ପ୍ଲାଟୁନ ପୋଲିସ ଫୋର୍ସ ସହ ଆଇଆଇସିଙ୍କ ଓ ୩ ଜଣ ଡିସିପି ନିୟୋଜିତ ହୋଇଥିଲେ ।ସେହିପରି ପୁରୀ ଲୋକନାଥ ମନ୍ଦିର ଶିବମୟ ହୋଇ ଉଠିଛି । ସକାଳୁ ସକାଳୁ ହଜାର ହଜାରେ ସଂଖ୍ୟାରେ ଶ୍ରଦ୍ଧାଳୁ ଜଳଲାଗି କରିଛନ୍ତି । ଦୂରଦୁରାନ୍ତରୁ କାଉଡିଆ ରାତିରୁ ବିଭିନ୍ନ ଶୈବପୀଠରେ ଲମ୍ବା ଲାଇନ୍ କରି ଛିଡ଼ା ହୋଇଛନ୍ତି ।