ଆଜି ପବିତ୍ର ଅଁଳା ନବମୀ,ଧାଡ଼ି ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼
ସାକ୍ଷୀଗୋପାଳ: ଆଜି ପବିତ୍ର ଅଁଳା ନବମୀ ପାଇଁ ସାକ୍ଷୀଗୋପାଳ ମନ୍ଦିରରେ ପ୍ରବଳ ଭିଡ ହୋଇଛି। ଦୁଇବର୍ଷ ହେଲେ ଶ୍ରଦ୍ଧାଳୁମାନେ ରାଧାପାଦ ଦର୍ଶନ କରିପାରିନଥିଲେ । ଆଜି ମନ୍ଦିରରେ ମା’ ରାଧାରାଣୀଙ୍କ ପାଦ ଦର୍ଶନ କରିବା ପାଇଁ ପୁରୀ ଜିଲ୍ଲାର କେବଳ ନୁହଁନ୍ତି ବାହାର ରାଜ୍ୟରୁ ମଧ୍ୟ ଶ୍ରଦ୍ଧାଳୁଙ୍କ ଭିଡ ଜମିଲାଣି । ଏଥିପାଇଁ ସାକ୍ଷୀଗୋପାଳ ମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଚାଲିଛି । ମନ୍ଦିରରେ ଦ୍ବାରଫିଟା ସହ ଅନ୍ୟାନ୍ୟ ନୀତିକାନ୍ତି ପରେ ବଡ଼ି ଭୋର୍ରୁ ମା’ ରାଧାଙ୍କ ପାଦ ଦର୍ଶନ ଆରମ୍ଭ ହୋଇଛି । ଆପଣମାନେ ଚାହିଁଲେ ଆଜି ମାଙ୍କ ପାଦ ଦର୍ଶନ କରିପାରିବେ । କିନ୍ତୁ ଚଳିତବର୍ଷ ଜିଲ୍ଲା ପ୍ରଶାସନ କେବଳ ରାଧାପାଦ ଦର୍ଶନକୁ ଅନୁମତି ଦେଇଛି। ତେଣୁ ଆପଣ ରାଧାପାଦ ସ୍ପର୍ଶ କରିପାରିବେ ନାହିଁ । ଭକ୍ତମାନେ ଶ୍ରୀ ରାଧାଙ୍କ ପାଦକୁ ଛୁଇଁ ପାରିବେନାହିଁ ବୋଲି କଡ଼ାକଡ଼ି ନିର୍ଦ୍ଦେଶ ରହିଥିବାରୁ ଏହି ନିର୍ଦେଶକୁ ଶ୍ରଦ୍ଧାଳୁମାନେ ମାନିବା ପାଇଁ ଅନୁରୋଧ କରାଯାଇଛି । ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ବେଳେ ଶ୍ରଦ୍ଧାଳୁମାନେ ଧାଡିରେ ଯାଇ ଦର୍ଶନ କରୁଛନ୍ତି ।