ବର୍ତ୍ତମାନ ମୋନ୍ଥା ଗୋପାଳପୁର ଠାରୁ ୫୫୦ କିଲୋମିଟର ଦକ୍ଷିଣ ଦକ୍ଷିଣ-ପଶ୍ଚିମ ଦିଗରେ ରହିଛି
ବାତ୍ୟା ‘ମୋନ୍ଥା’ର ଗତି ଏବଂ ଅବସ୍ଥିତି ସଂପର୍କରେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି ସୂଚନା ଦେଇଛନ୍ତି। ସେ କହିଛନ୍ତି, ମୋନ୍ଥା ଗତ ୬ ଘଣ୍ଟାରେ ୧୫ କିଲୋମିଟର ପ୍ରତିଘଣ୍ଟା ବେଗରେ ଗତି କରି ଆଜି ସକାଳ ୫.୩୦ ରେ ଭୀଷଣ ବାତ୍ୟାରେ ପରିଣତ ହୋଇଛି। ବର୍ତ୍ତମାନ ମୋନ୍ଥା ଗୋପାଳପୁର ଠାରୁ ୫୫୦ କିଲୋମିଟର ଦକ୍ଷିଣ ଦକ୍ଷିଣ-ପଶ୍ଚିମ ଦିଗରେ ରହିଛି । ଆଜି ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ଗତିକରି ସନ୍ଧ୍ୟାରୁ ରାତି ମଧ୍ୟରେ ଆନ୍ଧ୍ର ଉପକୂଳ ଅତିକ୍ରମ କରି କାକିନାଡ଼ା ନିକଟରେ ସ୍ଥଳଭାଗ ଛୁଇଁବ।
ପବନର ବେଗ ୯୦-୧୦୦ କିଲୋମିଟର ପ୍ରତି ଘଣ୍ଟା ରହିବ। ଝଟକା ପବନ ୧୧୦ ପର୍ଯ୍ୟନ୍ତ ରହିବ । ଏହା ସହ ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି ଜିଲ୍ଲାରେ ବଳବତ୍ତର ରହିଛି ରେଡ଼ ୱାର୍ନିଂ । ଗୋପାଳପୁର ବନ୍ଦର ପାଇଁ ୩ ନମ୍ବର ବିପଦ ସଙ୍କେତ ଓ ଅନ୍ୟ ବନ୍ଦର ପାଇଁ ୨ ନମ୍ବର ବିପଦ ସଙ୍କେତ ରହିଛି ।
୨୯ ତାରିଖ ସକାଳ ସାଢ଼େ ୮ଟାରୁ ୩୦ ତାରିଖ ସକାଳ ସାଢ଼େ ୮ଟା ମଧ୍ୟରେ ରାୟଗଡ଼ା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୬୦ରୁ ୮୦ କିମି ବେଗରେ ପବନ ହେବାକୁ ଥିବାରୁ ରେଡ୍ ୱାର୍ଣ୍ଣିଂ ଦିଆଯାଇଛି। ଏଥିସହ ଗଜପତି, ଗଞ୍ଜାମ, ନୟାଗଡ଼, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ନୂଆପଡ଼ା ଓ ବଲାଙ୍ଗୀରରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳରୁ ଅତିପ୍ରବଳ ବର୍ଷା ଏବଂ ଘଣ୍ଟା ପ୍ରତି ୫୦ରୁ ୭୦ କିମି ବେଗରେ ପବନ ହେବାକୁ ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି।