ଆଉ ଗୋଟିଏ ଦିନ ବଢ଼ିଲା କଟକ ବାଲିଯାତ୍ରା

ଆସନ୍ତାକାଲି ସରିଥାନ୍ତା କଟକ ବାଲିଯାତ୍ରା । ଲୋକଙ୍କ ଆଗ୍ରହକୁ ଦେଖି ଆଉ ଗୋଟିଏ ଦିନ ବଢାଇବାକୁ ନିଷ୍ପତ୍ତି ନେଇଛି ସିଏମସି । ଗତକାଲି ବାଲିଯାତ୍ରା ପଡିଆରେ ହୋଇଥିବା ସିଏମସି ବୈଠକରେ ଆଲୋଚନା ପରେ ବିଧିବଦ୍ଧ ଭାବେ ପ୍ରସ୍ତାବ ଦେଇ ଚିଠି ଲେଖାଯାଇଥିଲା । ଫଳରେ ବାଲିଯାତ୍ରା ଆଉ ଗୋଟିଏ ଦିନ ବଢ଼ିଛି ।

କଟକର ଐତିହାସିକ ବାଲିଯାତ୍ରା ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ବଢିଛି ଅବଧି । ଆସନ୍ତାକାଲି ଅର୍ଥାତ୍ ବୁଧାବର ସରିଥାନ୍ତା ବାଲିଯାତ୍ରା । ଆସନ୍ତା ଗୁରୁବାର ପର୍ଯ୍ୟନ୍ତ ଚାଲିବ ଏହି ଯାତ୍ରା । ଏନେଇ ସୂଚନା ଦେଇଛନ୍ତି ସିଏମ୍‌ସି ମେୟର ସୁବାସ ସିଂହ । ସୁବାସ ସିଂହ କହିଛନ୍ତି ବାଲି ଯାତ୍ରା ବଢ଼ିବା ପାଇଁ ପୂର୍ବରୁ ଦାବି ହେଉଥିଲା । ଏବେ ମୁଖ୍ୟମନ୍ତ୍ରୀ ମଧ୍ୟ ଅନୁମୋଦନ କରିଛନ୍ତି ।

ବାଲିଯାତ୍ରା ବୁଲିବାରେ ଲୋକଙ୍କ ଆଗ୍ରହ, ଉତ୍ସାହକୁ ଦୃଷ୍ଟିରେ ରଖି ସରକାର ଦିନେ ବଢାଇବାକୁ ଦେଇଛନ୍ତି ଅନୁମୋଦନ ।

ଗତ ୮ତାରିଖ କାର୍ତ୍ତିକ ପୂର୍ଣ୍ଣିମାରୁ ଆରମ୍ଭ ହୋଇଛି ରାଜ୍ୟସ୍ତରୀୟ ବାଲିଯାତ୍ରା ମହୋତ୍ସବ । ଦୁଇ ବର୍ଷ ପରେ ବାଲିଯାତ୍ରା ହେଉଥିବାରୁ ଲୋକଙ୍କ ଭିତରେ ଉତ୍ସାହ ବୃଦ୍ଧି ପାଇଛି ।

ଦିନକୁ ଦିନ ବାଲିଯାତ୍ରାରେ ପ୍ରବଳ ଭିଡ ଜମୁଛି । ରବିବାର ବାଲିଯାତ୍ରାରେ ସର୍ବକାଳୀନ ରେକର୍ଡ଼ ସଂଖ୍ୟକ ଦର୍ଶକଙ୍କ ଭିଡ଼ ଜମିଥିଲା । ୧୫ ଲକ୍ଷରୁ ଅଧିକ ଲୋକ ମେଳା ବୁଲିସାରିଲେଣି । ସେହିପରି ସୋମବାର ପ୍ରାୟ ୫ ଲକ୍ଷ ଲୋକ ଯାତ୍ରା ବୁଲିଛନ୍ତି । ତେଣୁ ଲୋକଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଆଉ ଗୋଟିଏ ଦିନ ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଛି । ଏହା ଦ୍ୱାରା ବ୍ୟବସୟୀଙ୍କ ବ୍ୟବସାୟ ବଢିବା ସହ ଲୋକମାନେ ମଧ୍ୟ ଯାତ୍ରାର ମଜା ନେଇପାରିବେ ।