ସୁସ୍ଥ ହେଲେ ଠାକୁର, ରଥଯାତ୍ରା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ: ଗହଳି ଜମିଲାଣି

ପୁରୀ:ସ୍ନାନପୂର୍ଣ୍ଣିମା ୧୦୮ ଗରା ସୁବାସିତ ଜଳରେ ସ୍ନାନ କରି ଜ୍ବରରେ ପୀଡ଼ିତ ଥିବା ମହାପ୍ରଭୁ ସୁସ୍ଥ ହୋଇଛନ୍ତି । ଦଶମୀରେ ଚକାବିଜେ ଅନୁଷ୍ଠିତ ହୋଇଥିବାବେଳେ ରାଜବୈଦ୍ୟଙ୍କ ପ୍ରସ୍ତୁତ ଦଶମୂଳ ଔଷଧ ସେବନ କରି ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ମହାବାହୁ । ଶ୍ରୀଜିଉ ସୁସ୍ଥ ହେବାର ସମାଚାର ନେଇ  ଦଇତାପତି ସେବକମାନେ ଶ୍ରୀନଅରକୁ ଯାଇ ଗଜପତିଙ୍କୁ ଅବଗତ କରାଇଛନ୍ତି । ପରମ୍ପରା ଅନୁସାରେ ମହାପ୍ରଭୁଙ୍କ ଅଣବସର ସମୟରେ ଶ୍ରୀଅଙ୍ଗରୁ ବାହାରିଥିବା ବିବିଧ ସାମଗ୍ରୀକୁ ପ୍ରସାଦ ରୂପରେ ରାଜନଅରକୁ ବିଜେ କରାଯାଇଛି। ଏହି ବିଜେ ନୀତିକୁ ରାଜପ୍ରସାଦ ବିଜେ କୁହାଯାଏ  । ସକାଳ ଧୂପ ଭୋଗ ମଣ୍ଡପ ପରେ ଏହି ବିଶେଷ ନୀତି ସମ୍ପାଦନ କରାଯାଇଥିଲା ।ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଯେତେ ପାଖେଇ ଆସୁଛି ପୁରୀ ସେତେ ହୋଇଉଠୁଛି  ଚଳଚଞ୍ଚଳ  । କରୋନା ପରେ ଏଥର ରଥ ଉପରେ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଗହଳି ଲାଗିଛି । ୧୯ ତାରିଖରେ ନବଯୌବନ ଦର୍ଶନ ହେବ କିନ୍ତୁ ଏବେ ପୁରୀରେ ଆଗୁଆ ହୋଟେଲ ବୁକ୍ ହୋଇଯାଉଛି ।   ରଥଯାତ୍ରାର ବହୁ ପୂର୍ବରୁ ହୋଟେଲ, ମଠ ଓ ଧର୍ମଶାଳାଗୁଡିକରେ ରାଜ୍ୟ ଓ ଦେଶ ବାହାରୁ ଆସୁଥିବା ଭକ୍ତ ଙ୍କ ଗହଳି ଲାଗିଲାଣି।