ଦର୍ପଦଳନ ରଥର ଅଖରେ ଫାଟ

ପୁରୀ: ବଦଳିବନି ଦର୍ପଦଳନ ରଥର ଅଖ । ଅଖରେ ସେଭଳି କୌଣସି ଗୁରୁତର ଫାଟ ହୋଇନି । ବୈଷୟିକ କମିଟି ଦ୍ବାରା ଚକ ଓ ଅଖ ଯାଞ୍ଚ ପରେ ଏନେଇ ସ୍ପଷ୍ଟ ହୋଇଛି । ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଲାଗିବ ୟୁ କ୍ଲାମ୍ପ । ଏନେଇ ସୂଚନା ଦେଇଛନ୍ତି ବୈଷୟିକ କମିଟି ଅଧ୍ୟକ୍ଷ ଏନ.ସି ପାଲ । ବୈଠକରେ ପରିଚାଳନା କମିଟି ସଦସ୍ୟଙ୍କ ସହ ରଥ ଯାଞ୍ଚ ବୈଷୟିକ କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ । ଅଖ ପରିବର୍ତନ କରାଯିବ ନାଁ ସେହି ଅଖକୁ କ୍ଲାମ୍ପ ଲଗାଯାଇ ମରାମତି କରାଯିବ, ସେନେଇ ଏହି ବୈଠକରେ ଆଲୋଚନା ହୋଇଥିଲା ।ଦର୍ପଦଳନ ରଥର ଅଖରେ ଫାଟ ହୋଇଥିବା ନେଇ ଚର୍ଚ୍ଚା ହେଉଛି। ରଥର ପଛପଟରେ ଥିବା ସାନ ଉଛୁଳା ଅଖରେ ଫାଟ ହୋଇଛି। ଏହି ସାନ ଉଛୁଳା ଉପରେ ରଥର ସମ୍ପୂର୍ଣ୍ଣ ଭାର ନିର୍ଭର କରିଥାଏ। ଏବେ ଫାଟ ଖବର ଜଣାପଡ଼ିବା ପରେ ଏହାକୁ ଲୁଚାଇବାକୁ ଉଦ୍ୟମ ଆରମ୍ଭ ହୋଇଛି । ଅଖରେ ଥିବା ବଟମ୍ ପ୍ୟାକିଂ ଓ କ୍ଲାମ୍ପ ଫିଟିଂ କରାଯାଇଛି। ଯେହେତୁ ଫାଟ ରହିଛି ତେଣୁ ଏବେ ଅଖଟି ଦୁର୍ବଳ ଥିବା ଜଣାପଡ଼ିଛି। କିନ୍ତୁ ମହାରଣା ସେବକମାନେ ଏହା ଏକ ସାଧାରଣ ଘଟଣା ବୋଲି କହୁଛନ୍ତି। ଏହାଦ୍ବାରା କୌଣସି ଅସୁବିଧା ହେବ ନାହିଁ ବୋଲି ସେମାନେ କହୁଛନ୍ତି।