ଭୁବନେଶ୍ବର : ରାଜ୍ୟ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକରେ ରାଜନୈତିକ ବ୍ୟାପାର, କାର୍ଯ୍ୟକାରିଣୀ ଓ ପଦାଧିକାରୀଙ୍କୁ ନେଇ ମାରାଥନ ବୈଠକ ବସିଛି। ଦଳ କିପରି ରାଜ୍ୟରେ ଭଲ ପ୍ରଦର୍ଶନ କରି ସରକାର ଗଠନ କରିବ ସେ ନେଇ ଆଲୋଚନା ହୋଇଛି । ସମୁଦାୟ ୬ଟି ପ୍ରସ୍ତାବ ଗୃହୀତ ହୋଇଛି। ଏହାକୁ ଆଧାର କରି ୨୦୨୪ ପାଇଁ ରଣନୀତି ପ୍ରସ୍ତୁତ କରିବା ଉପରେ ନେତୃବୃନ୍ଦ ଗୁରୁତ୍ବ ଦେଇଛନ୍ତି।
PCC State Executive Body Meeting was held in Bhubaneswar today with PCC President Shri Sarat Patnaik convened the meeting and AICC Odisha In-charge Dr A Chellakumar attended. CLP Leader Shri Narasingha Mishra, Campaign Committee Chairman Shri Bijay Kumar Patnaik, Former PCC… pic.twitter.com/BnehSSUrRt
— Odisha Congress (@INCOdisha) July 22, 2023
ବୈଠକରେ ବିଧାୟକ ମହମ୍ମଦ ମୋକିମ୍ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳଙ୍କ ନିଲମ୍ବନକୁ ନେଇ ସରଗରମ ଆଲୋଚନା ହୋଇଥିଲା। ରାଜସ୍ଥାନରେ ଯେପରି ବିନା ନିଲମ୍ବନରେ ଗେହଲଟ-ପାଇଲଟଙ୍କ ବିବାଦର ସମାଧନ କରାଗଲା ଓଡ଼ିଶାରେ ଏଭଳି କାହିଁକି କରାଗଲାନି ବୋଲି ଏକାଧିକ ନେତା ପ୍ରଶ୍ନ ଉଠାଇଥିଲେ। ଏହାକୁ ନେଇ ବୈଠକରେ କଥା କଟାକଟି ହୋଇଥିଲା। ତେବେ ଦଳ ଭିତରେ ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ପ୍ରଭାରୀ ରୋକଠୋକ୍ ଶୁଣାଇଥିବା ସୂଚନା ମିଳିଛି। ମାତ୍ର ଏ ସଂପର୍କରେ ବାହାରେ କୌଣସି ନେତା ମୁହଁ ଖୋଲି ନାହାନ୍ତି। ଦରଦାମ ବୃଦ୍ଧି, ବେକାରୀ, ଚିଟଫଣ୍ଡ, ପଛୁଆ ବର୍ଗ ପ୍ରତି ଅବହେଳା, ମହିଳାଙ୍କ ସୁରକ୍ଷା ଓ ଛାତ୍ର ସଂସଦ ନିର୍ବାଚନ ସଂକ୍ରାନ୍ତ ପ୍ରସ୍ତାବ ଗୃହୀତ ହୋଇଛି। ରତ୍ନ ଭଣ୍ଡାର ଖୋଲିବା ଓ ଶ୍ରୀମନ୍ଦିର ସମସ୍ତ ଦ୍ବାର ଖୋଲିବା ସଂପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ଆଗାମୀ ଦିନରେ ବ୍ଲକ୍ ଓ ଜିଲ୍ଲାସ୍ତରରେ ବୈଠକ ବସିବା ସହିତ ବିଭିନ୍ନ ପ୍ରସଙ୍ଗରେ ଜୋରଦାର ଆନ୍ଦୋଳନ କରାଯିବ। ଅଗଷ୍ଟ ଶେଷରେ ସେବାଦଳର ମଧ୍ୟ ରାଜଧାନୀରେ ଏକ ବୈଠକ ଆୟୋଜିତ ହେବ। ଏହାସହ ଲକ୍ଷାଧିକ ଲୋକଙ୍କୁ ନେଇ ରାଜଧାନୀରେ ଏକ ବିଶାଳ ସମାବେଶ କରିବା ପାଇଁ ନିଷ୍ପତ୍ତି ହୋଇଛି। ଏଥିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଯୋଗଦେବେ। ମାତ୍ର ଏହାର ତାରିଖ ଧାର୍ଯ୍ୟ ହୋଇ ନ ଥିବା କଂଗ୍ରେସ ସୂତ୍ରରୁ ଜଣାପଡ଼ିଛି।
ଓଡ଼ିଶା ପ୍ରଭାରୀ ଏ.ଚେଲାକୁମାର, ପିସିସି ସଭାପତି ଶରତ ପଟ୍ଟନାୟକ, ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ସମେତ କଂଗ୍ରେସ ବରିଷ୍ଠ ନେତୃବୃନ୍ଦ ଯୋଗ ଦେଇଥିଲେ। ଦୁଇ ନେତାଙ୍କ ନିଲମ୍ବନ ପ୍ରସଙ୍ଗ ସହିତ ରାଜ୍ୟରେ ଦଳ କାହିଁକି ବାରମ୍ବାର ପରାଜୟର ଶିକାର ହେଉଛି ତାହା ଉପରେ ଆଲୋଚନା ହୋଇଥିଲା। ପରବର୍ତୀ ସମୟରେ କାର୍ଯ୍ୟକାରିଣୀ ଓ ସଂଧ୍ୟାରେ ପଦାଧିକାରୀଙ୍କ ବୈଠକ ବସିଥିଲା।