ଓଡ଼ିଶା ଭାରତବର୍ଷର ଶ୍ରେଷ୍ଠ ନିବେଶ କ୍ଷେତ୍ର ହେବ – ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଜାନୁଆରୀ ୨୮-୨୯, ଦୁଇଦିନ ଧରି ଉତ୍କର୍ଷ ଓଡିଶା- ମେକ୍ ଇନ୍ ଓଡିଶା କନକ୍ଲେଭ୍-୨୦୨୫ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସ୍ଥାନୀୟ ଜନତା ମଇଦାନରେ ଏହାର ପ୍ରସ୍ତୁତି ଅନୁଧ୍ୟାନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମର ସମସ୍ତ ପ୍ରସ୍ତୁତି ଶେଷ ପର୍ୟ୍ୟାୟରେ ପହଞ୍ଚିଛି ଏବଂ ଏହି କାର୍ୟ୍ୟକ୍ରମ ସବୁ ଦୃଷ୍ଟିକୋଣରୁ ଐତିହାସିକ ହେବ । ରାଜ୍ୟ ପାଇଁ ଏକ ସୁଦୃଢ ଅର୍ଥନୈତିକ ଓ ଶିଳ୍ପ ଭିତ୍ତିଭୂମି ପ୍ରସ୍ତୁତ କରିବାରେ ଏହା ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ରାଜ୍ୟ ମାନଙ୍କ ମଧ୍ୟରେ ଶ୍ରେଷ୍ଠ ୫ଟି ଅର୍ଥନୀତି ମଧ୍ୟରେ ସ୍ଥାନ ପାଇବାର ଆମର ଯେଉଁ ଲକ୍ଷ୍ୟ ଅଛି, ତାହା ନିଶ୍ଟୟ ପୂରଣ ହେବ । ଏହାସହିତ ଶ୍ରମିକ, କୃଷକ ମାନଙ୍କ ପରି ସାଧାରଣ ଲୋକଙ୍କ ପାଇଁ ମଧ୍ୟ ବିପୁଳ ସୁଯୋଗ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ଇନଭେଷ୍ଟର୍ସ ମିଟ୍ ରେ ୫ ଲକ୍ଷ କୋଟିରୁ ଅଧିକ ଟଙ୍କାର ପୁଞ୍ଜି ବିନିଯୋଗ ପ୍ରସ୍ତାବ ଆସିବାର ସମ୍ଭାବନା ରହିଛି ଏବଂ ଏହାଦ୍ୱାରା ୩.୫ ଲକ୍ଷରୁ ଅଧିକ ନିଯୁକ୍ତି ସମ୍ଭାବନା ମଧ୍ୟ ସୃଷ୍ଟି ହେବ। ୧୦୦ଟି ଅଧିକ ନିବେଶକ ଏମଓୟୁ କରିବାର କାର୍ୟ୍ୟକ୍ରମ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ମୁଖ୍ୟମନ୍ତ୍ରୀ କହିଲେ ଯେ ୨୮ ତାରିଖ ଦିନ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଏହାର ଉଦଘାଟନ କରିବେ । ଗତ ୭ ମାସ ମଧ୍ୟରେ ଓଡିଶାକୁ ଏହା ତାଙ୍କର ପଞ୍ଚମ ଗସ୍ତ ହେବ । ଓଡିଶାରେ ପୁଞ୍ଜିନିବେଶ ପ୍ରତି ତାଙ୍କର ସ୍ୱତନ୍ତ୍ର ଧ୍ୟାନ ରହିଛି ଏବଂ ଓଡିଶା ଏକ ବିପୁଳ ସମ୍ଭାବନାର ରାଜ୍ୟ ଭାବେ ଅଗ୍ରସର ହେଉଛି ବୋଲି ସେ କହିଥିଲେ ।