୨୪ ବର୍ଷ ବିଜେଡି କ୍ଷମତାରେ ରହି ବି ସୁନାବେଡ଼ାର କାହିଁକି ବିକାଶ କରିପାରିଲାନି ବୋଲି ପ୍ରଶ୍ନ କରିଛନ୍ତି ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଅପରାହ୍ଣରେ ନୂଆପଡ଼ାରେ ରୋଡ୍ ସୋ’ କରିଛନ୍ତି। ନୂଆପଡ଼ା ଉପନିର୍ବାଚନ ପାଇଁ ସେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ଏହି ରୋଡ୍ ସୋ’ ମାଧ୍ୟମରେ ମତଦାତାଙ୍କୁ ଭୋଟ୍ ମାଗିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ରୋଡ୍ ସୋ’ ନୂଆପଡ଼ା ସହରରୁ ବାହାରିଛି, ଯାହା ଖରିଆର ରୋଡ୍ରେ ପହଞ୍ଚିବ। ପ୍ରାୟ ୧୦ କିଲୋମିଟରର ଏହି ରୋଡ୍ ସୋ’ରେ କଳାହାଣ୍ଡିର ସାଂସଦ ମାଳବିକା ଦେବୀ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ପୂର୍ବତନ ସାଂସଦ ବସନ୍ତ ପଣ୍ଡା, ବିଜେପି ସଭାପତି ମନମୋହନ ସାମଲଙ୍କ ସହିତ ଦଳୀୟ ନେତା ଓ କର୍ମୀ ସାମିଲ ହୋଇଛନ୍ତି।
ନୂଆପଡ଼ା ସୁନାବେଡ଼ାରେ ପ୍ରଚାର ବେଳେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଜେଡି ଓ ନବୀନଙ୍କ ପାଇଁ ସୁନାବେଡ଼ା ପଛୁଆ ହୋଇ ରହିଯାଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ୨୪ ବର୍ଷ ବିଜେଡି କ୍ଷମତାରେ ରହି ବି ସୁନାବେଡ଼ାର କାହିଁକି ବିକାଶ କରିପାରିଲାନି ବୋଲି ପ୍ରଶ୍ନ କରିବା ସହ କହିଛନ୍ତି- ନବୀନ ବାବୁ ଓଡ଼ିଆ ଶିଖି ପାରିଲେ ନାହିଁ, ସେ ଆଦିବାସୀ କଥା କେମିତି ବୁଝିବେ । ମୁଁ ଆଦିବାସୀ, ଆଦିବାସୀଙ୍କ କଥା ବୁଝି ପାରିବି, ସମସ୍ୟାର ସମାଧାନ କରିବି ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ନବୀନ ବାବୁ ସୁନାବେଡ଼ାକୁ କେବେ ଆସି ନାହାନ୍ତି । ୧୪ ତାରିଖ ପରେ ଆପଣ ଆଉ କାହାକୁ ଦେଖି ପାରିବେ ନାହିଁ । କେବଳ ଜୟ ଢୋଲକିଆ ଓ ମୋହନ ମାଝୀଙ୍କୁ ଦେଖିବେ ଏବଂ ଆପଣଙ୍କ ପାଖକୁ ଆସିବେ । ତେବେ ଏନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ ।