ଗୁରୁବାର ପାଇଁ ମାଡ଼ ଖାଇଛି ଛାଡ଼ଖାଇ
ପବିତ୍ର ମାସ କାର୍ତ୍ତିକ , ମାସସାରା ଆମିଷ ନଖାଇ କାର୍ତ୍ତିକ ବ୍ରତ ପାଳନ୍ତି ଲୋକେ । କେହି କେହି ମାସକ ପାଳିନପାରିଲେ ପଞ୍ଚୁକ ୫ ଦିନ ଆମିଷ ଛାଡି ସାତ୍ତ୍ବିକ ଭୋଜନ କରି କାର୍ତ୍ତିକ ବ୍ରତ ପାଳନ କରନ୍ତି । ଏ ମାସରେ ଦାନ ଧର୍ମ କରି ବର୍ଷକର ପୂଣ୍ୟ ଅର୍ଜନ କରାଯାଏ ବୋଲି କୁହାଯାଏ । କିନ୍ତୁ କାର୍ତ୍ତିକ ପୂର୍ଣ୍ଣମୀ ପରଦିନ ଛାଡ଼ଖାଇ ପାଳିବା ଦିନ ଘରେ ଘରେ ମାଛ ମାଂସ ଭାସେ। ମାସକ ସାରା ଧର୍ମ କରିବା ପରେ ତା’ପରଦିନ ଆମିଷ ଖାଇବା ପ୍ରକୃତରେ ଛାଡ଼ଖାଇ । ନା ଏହାର କିଛି ଅନ୍ୟ ଗୁରୁତ୍ବ ଅଛି? କୁହାଯାଏ, କାର୍ତ୍ତିକ ବ୍ରତ କରୁଥିବା ବ୍ରତଧାରୀ ପୂଣ୍ୟ କାର୍ତ୍ତିକରେ ଦିନକୁ ମାତ୍ର ଥରେ ଖାଇ ବ୍ରତ କରନ୍ତି । ଏହି ମାସରେ ବ୍ରତଧାରୀମାନଙ୍କର ଖାଇବାରେ ଅନେକ କଟକଣା ଥାଏ । ଅନେକ ପରିବା ସହ କିଛି ଶସ୍ୟ ନଖାଇବାର ବାରଣ ରହିଥାଏ । ଏପରିକି ଚୂନ ଲଗା ପାନ ବି ଖାଇନଥାନ୍ତି । ଯଦି ବିଡ଼ିଆ ପାନ ମିଳେ ଖାଇବାର ଅନୁମତି ଥାଏ ନହେଲେ ନାହିଁ । ଖାଲି ସେତିକି ନୁହେଁ ଖାଇବା ସମୟରେ ମଧ୍ୟ ନୀରବତା ରକ୍ଷା କରିବାକୁ ପଡ଼େ । ବ୍ରତଧାରୀ ଖାଇବା ସମୟରେ ଯଦି କେହି ପାଟି କରନ୍ତି ସେଇଠି ତାଙ୍କ ଖାବା ବନ୍ଦ ହୁଏ । କାର୍ତ୍ତିକ ପୂର୍ଣ୍ଣିମା ଯାଏଁ ଏଭଳି ସଦାଚାରରେ ରହିଥାନ୍ତି ବ୍ରତଧାରୀ । କିନ୍ତୁ ପୂର୍ଣ୍ଣିମା ପରଦିନ ସେମାନେ ସମ୍ପୂର୍ଣ୍ଣ ଉପବାସ ରହି ବ୍ରତ ସମାପନ କରିଥାନ୍ତି । ଏହି ଦିନ ଖାଦ୍ୟ ଛାଡ଼ୁଥିବାରୁ ଏହାକୁ ଛାଡ଼ଖାଇ ବୋଲି କୁହାଯାଏ । ଆଉ କେହି କେହି କୁହନ୍ତି , ମାସକ ସାରା ଯେଉଁ ସବୁ ଖାଦ୍ୟକୁ ବାରଣ ଥାଏ ବା ଛାଡ଼ିଥାନ୍ତି ତାକୁ ପୁଣି ଗ୍ରହଣ କରୁଥିବାରୁ ମଧ୍ୟ ଏହି ଦିନକୁ ଛାଡ଼ଖାଇ ବୋଲି କୁହାଯାଏ ।
କିନ୍ତୁ ଅଧିକାଂଶ ଏହି ଦିନଟିକୁ ନିଜ ଇଚ୍ଛା ଅନୁସାରେ ପାଳନ କରୁଛନ୍ତି । ମାସକ ସାରା ଆମିଷ ନଖାଉଥିବାରୁ ଏଦିନ ଆମିଷ ଖାଇବାକୁ ଗୁରୁତ୍ବ ଦେଇଥାନ୍ତି । ତେଣୁ ଆଜି ଆମିଷ ମାର୍କେଟରେ ଲୋକଙ୍କ ଭିଡ଼ । ଛାଡଖାଇରେ ଆମିଷ ଟିକେ ଖାଇବା ଯେପରି ଆମ ଲୋକଙ୍କର ଗୋଟେ ସାମାଜିକ ଚଳଣୀ ପାଲଟିଛି । ତା’ଛଡ଼ା ଶୀତ ଦିନେ ମାଛରେ ସ୍ନେହସାର ଓ ଆଦ୍ରତାର ମାତ୍ରା ଭଲ ରହୁଥିବାରୁ ଆମିଷ ଖାଇବା ଭଲ ବୋଲି ବିଶେଷଜ୍ଞମାନେ ମତ ଦିଅନ୍ତି ।
ହେଲେ ଏଥର ଛାଡ଼ଖାଇଟା ମାଡ଼ ଖାଇଯାଇଛି । ଗୁରୁବାର ଛାଡ଼ଖାଇ ପଡ଼ୁଥିବାରୁ ଆମିଷ ବଜାରରେ ପୂର୍ବ ଭଳି ଭିଡ଼ ନାହିଁ । ଇଚ୍ଛା ଥିଲେ ବି ଆଇଁଷ ଟିକେ ଖାଇପାରିନାହାଁନ୍ତି । ହେଲେ କାଲି ଶୁକ୍ରବାର ଛାଡ଼ଖାଇ ପାଳିବାକୁ ଚାହିଁରହିଛନ୍ତି ଅନେକ । କାଲି କେତେ ଯେ ନୀରିହ ପ୍ରାଣୀ ବଳିପଡ଼ିବେ, ମଣିଷ ପେଟକୁ ଯିବେ ଠିକଠିକଣା ନାହିଁ ।